ସୁଷମା ସ୍ୱରାଜଜୀଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀକ୍ଷତି

ଭୁବନେଶ୍ୱର , ୦୭ ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):

ପୂର୍ବତନ ବୈଦେଶିକ ମନ୍ତ୍ରୀ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି । ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତ୍ରୀଙ୍କୁ ହରାଇଛି । ସାଧାରଣ ଜନତାଙ୍କ ନେତ୍ରୀ ଭାବେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର କରିବାରେ ପାରଙ୍ଗମ ଥିଲେ । ସେ ଜଣେ ଅଜାତ ଶତ୍ରୁ ଭାବେ ବିବେଚିତ ହେଉଥିଲେ । ସଂସଦ ଭବନରେ ତାଙ୍କ କାର୍ଯ୍ୟକୁ ବିରୋଧୀମାନେ ମଧ୍ୟ ପ୍ରଶଂସା କରନ୍ତି । ତାଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀ କ୍ଷତି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱର୍ଗତାଃ ସ୍ୱରାଜଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱର୍ଗତାଃ ସୁଷମାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା । ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି ।
ସୁଷମା ସ୍ୱରାଜଜୀ ନାରୀ ଜାତିର ଏକ ମୁର୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ । ସମଗ୍ରର ନାରୀ ଜାତି ପାଇଁ ସେ ଏକ ଉଦାହରଣ ହୋଇ ରହିବେ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର ଭାରତବାସୀଙ୍କୁ ଆକର୍ଷିତ କରୁଥିଲା ବୋଲି ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ କହିଛନ୍ତି ।
ସମସ୍ତ ଭାଷାରେ ସୁଷମାଜୀଙ୍କ ଦକ୍ଷତା ଥିଲା । ତାଙ୍କର ଶାଣିତ ଭାଷଣରେ ବିମୋହିତ ହୋଇ ଲକ୍ଷ ଲକ୍ଷ ଜନତା ତାଙ୍କ ସଭା ସ୍ଥଳରେ ପହଂଚୁଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ଆସନ୍ତାକାଲି ସୁଷମାଜୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *