ଚିରନିଦ୍ରାରେ ସୁଷମା

ନିଉଦିଲ୍ଲୀ , ୦୭ ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):
ଭାରତୀୟ ରାଜନୀତିର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ସଂନ୍ଧ୍ୟା ୭ଟା ୨୩ ମିନିଟରେ ଧାରା ୩୭୦ହଟାଯିବାର ପ୍ରକ୍ରିୟା ଶେଷ ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ମୂଳକ ଟୁଇଟ୍ କରିଥିଲେ । ତେବେ ଏହାର କିଛି ସମୟ ପରେ ହଠାତ୍ ହୃଦ୍ ଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଏମ୍ସକୁ ଚିକିତ୍ସା ସକାଶେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଏମ୍ସର ଡାକ୍ତରୀ ଦଳ ତାଙ୍କୁ ବଂଚାଇ ରଖିବା ପାଇଁ ବଡ଼ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ସେ ଅସୁସ୍ଥ ହୋଇପଡ଼ିବା ଓ ଏମ୍ସରେ ଭର୍ତି ହେବା ଖବର ଜଣାପଡ଼ିବା ମାତ୍ରକେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନୀ, ହର୍ଷବର୍ଦ୍ଧନଙ୍କ ପରି ବହୁ କେନ୍ଦ୍ରୀୟ କ୍ୟାବିନେଟ୍ ସଦସ୍ୟ ଏମ୍ସ ଆସିବାଆରମ୍ଭ କରିଥିଲେ । ୧୯୫୩ ମସିହା ଫେବୃଆରୀ ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିବା ସୁଷମା ଭାରତୀୟ ରାଜନୀତିରେ ପ୍ରାୟ ଚାରି ଦଶନ୍ଧି ଧରିସକ୍ରିୟ ଥିଲେ ।

ସଂସଦକୁ ୭ଥର ଏବଂ ବିଧାନସଭାକୁ ୩ଥର ନିର୍ବାଚିତ ହୋଇଥିଲେ । ଦିଲ୍ଲୀର ୫ମ ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ସଦନ କରିଥିଲେ ସୁଷମା । କେନ୍ଦ୍ରସରକାରରେ ସୂଚନା ଓ ପ୍ରସାରଣ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ଦାୟିତ୍ୱ ସଂପାଦନ କରିବାର ସେ ପାଇଥିଲେ ସୁଯୋଗ । ତେବେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ପ୍ରଧାନମନ୍ତ୍ରୀତ୍ୱ ସମୟରେ ୨୦୧୪ରୁ୨୦୧୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀଭାବରେ ବେଶ ସଫଳତାର ସହ ସେକାର୍ଯ୍ୟ କରିଥିଲେ । ସୋସିଆଲ ମିଡିଆରେ ବଡ଼ ସକ୍ରିୟ ଥିବା ସୁଷମା ବୈଦେଶିକ ମନ୍ତ୍ରୀ ଭାବରେ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ କରୁଥିଲେ ବ୍ୟବସ୍ଥା । ଇନ୍ଦିରା ଗାନ୍ଧୀଙ୍କପରେ ସେ ଥିଲେ ଭାରତର ମହିଳା ବୈଦେଶିକ ମନ୍ତ୍ରୀ । ମାତ୍ର ୨୫ ବର୍ଷ ବୟସରେ ହରିୟାନା ସରକାରରେ ଦେବୀଲାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମନ୍ତ୍ରୀପଦ ପ୍ରଥମ କରି ପାଇଥିଲେ ସୁଷମା । ଛାତ୍ର ସମୟରୁ ରାଜନୀତିରେ ସକ୍ରିୟ ଥିବା ସୁଷମା ଶେଷ ପର୍ଯ୍ୟନ୍ତ ଥିଲେ ସକ୍ରିୟ । ତାଙ୍କ ପରଲୋକ ଖବର ଜଣାପଡ଼ିବା ମାତ୍ରକେ ସାରାଦେଶ ସ୍ତବ୍ଧ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତକରିଛନ୍ତି । କିଡନୀ ରୋଗରେ ପୀଡ଼ିତ ଥିବା ସୁଷମାଙ୍କର ୨୦୧୬ ମସିହାରେ କିଡନୀ ରୋପଣ କରାଯାଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ୨୦୧୯ନିର୍ବାଚନରେ ସେ ନ ଲଢ଼ିବାର ନିଷ୍ପତି ନେଇଥିଲେ । ଭାରତୀୟ ରାଜନୀତିରେ ସୁଷମା ଥିଲେ ଜଣେ ନିଆରା ବ୍ୟକ୍ତି । ଭାଜପାର ବରିଷ୍ଠ ସଦସ୍ୟ ଥିଲେ ମଧ୍ୟଅନ୍ୟ ସବୁ ଦଳ ନେତାଙ୍କ ସହ ତାଙ୍କର ଅତି ଭଲ ସଂପର୍କ ରହିଥିଲା । ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇ ଦେଇଛି ।

Leave a Reply

Your email address will not be published. Required fields are marked *