ସିକିମର ପ୍ରଥମ ବିମାନବନ୍ଦର ଉଦଘାଟନ କଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୨୪/୦୯(ଗ୍ରାଉଣ୍ଡଜିରୋ ଲାଇଭ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକିମର ପ୍ରଥମ ବିମାନବନ୍ଦର ଉଦଘାଟନ କରିଛନ୍ତି । ଏହି ବିମାନବନ୍ଦର ୪ହଜାର ୫ଶହ ଫୁଟ ଉଚ୍ଚରେ ନିର୍ମିତ ହୋଇଛି । ବିମାନବନ୍ଦର ଉଦଘାଟନ ଉତ୍ସବରେ ମୋଦିଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଉପସ୍ଥିତ ଥିଲେ । ୨୦୦୯ ମସିହାରେ ବିମାନବନ୍ଦର ପାଇଁ ଶିଳାନ୍ୟାସ କରାଯାଇଥିଲା । ତେବେ ଦୀର୍ଘ ୯ବର୍ଷ ପରେ ଆଜି ଏହାର ଉଦଘାଟନୀ ହୋଇଛି ।
ମୋଦି ନିଜ ଅଭିଭାଷଣରେ ସିକିମର ସୌନ୍ଦର୍ଯ୍ୟତା ଓ ପ୍ରାକୃତିକ ପରିବେଶକୁ ପ୍ରଶଂସା କରିଥିଲେ ଏବଂ ଆଜିର ଦିନ ସିକିମ ତଥା ଦେଶ ପାଇଁ ଏକ ଐତିହାସିକ ଦିନ ବୋଲି କହିଥିଲେ । ସିକିମ ବିମାନବନ୍ଦରକୁ ମିଶାଇଲେ ପୁରା ଭାରତରେ ବିମାନବନ୍ଦର ସଂଖ୍ୟା ୧୦୦ରେ ପହଁଚିଛି । ତେବେ ଉଦଘାଟନୀ ସଭାରେ ମୋଦି କହିଛନ୍ତି ଆମେ ପ୍ରତି ବର୍ଷ ୯ଟି ଏୟାରପୋର୍ଟ ହିସାବରେ ୪ ବର୍ଷରେ ୩୫ ଟି ଏୟାରପୋର୍ଟ ତିଆରି କରିସାରିଛୁ । ୨୦୧୪ ପୂର୍ବରୁ ଦେଶରେ ମାତ୍ର ୬୫ ଟି ହିଁ ଏୟାରପୋର୍ଟ ତିଆରି ହୋଇଥିଲା ।
ସିକିମ ଏକ ପର୍ଯ୍ୟଟନସ୍ଥଳୀ । ସିକିମ ଏୟାରପୋର୍ଟ ଦ୍ୱାରା ବ୍ୟବସାୟ ପାଇଁ ଏକ ନୂଆ ବାଟ ଫିଟିଛି । ବ୍ୟବସାୟ ସହ ସିକିମ ପର୍ଯ୍ୟଟନର ମଧ୍ୟ ପ୍ରଚାର ପ୍ରସାର ହେବ । ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ତେଣୁ ବିମାନବନ୍ଦର ଯୋଗୁଁ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।  ଗାଙ୍ଗଟକଠାରୁ ୩୩ କିଲୋମିଟର ଦୂରରେ ରହିଛି ଏହି ବିମାନବନ୍ଦର ।

Leave a Reply

Your email address will not be published. Required fields are marked *