ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର ପ୍ରଥମ ସୋପାନ

ବାଲେଶ୍ୱର, 13 ମାର୍ଚ୍ଚ (ଗ୍ରାଉଣ୍ଡ ଜିରୋ ଲାଇଭ):

ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି  ସହର(ନନ-ଆଟେନମେଣ୍ଟ  ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ  ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ବାଲେଶ୍ୱର ଅଧିବାସୀଙ୍କ ହାରାହାରି ପରମାୟୁରେ  ତିନି ବର୍ଷ ବୃଦ୍ଧି ଘଟନ୍ତା।  ଓଡ଼ିଶାରେ ବାଲେଶ୍ୱର ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନମେଣ୍ଟ ସହର ତାଲିକାରେ ଅନ୍ତର୍ଭୁକ୍ତ।  କଳାକାରଖାନା ଓ  ଯାନବାହାନରୁ ନିର୍ଗତ ଧୂଆଁ, ରାସ୍ତାର ଧୂଳି ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୟରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ବାୟୁ ପ୍ରଦୂଷଣ ବାଲେଶ୍ୱର ଅଧିବାସୀଙ୍କର ଉଭୟ ଜୀବନ  ଜୀବିକାକୁ ପ୍ରଭାବିତ କରୁଛି। ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୪  ସୁଦ୍ଧା ବାଲେଶ୍ୱରରେ ବାୟୁ ପ୍ରଦୂଷଣ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଶିଳାନୁଷ୍ଠାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜନସାଧାରଣ ସମସ୍ତେ ମିଳିତ ଭାବେ ଏହି ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଆସିବାକୁ ବକ୍ତାମାନେ  ବାଲେଶ୍ୱର ଠାରେ ଅନୁଷ୍ଠିତ ହୋଇ ଥିବା ” ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ  ସହର ଗୁଡିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବକି?” ଶୀର୍ଷକ ସଚେତନତା କର୍ମଶାଳାରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିକାଗୋ ବିଶ୍ୱବଦ୍ୟାଳୟ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ଡେଭେଲପମେଣ୍ଟ  ସେଣ୍ଟରର ମିଳିତ ଅନୁକୁଲ୍ୟରେ ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ(ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ) ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାଲେଶ୍ୱର କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ଡଃ ପ୍ରକାଶ କୁମାର ମହାପାତ୍ର କହିଥିଲେ ଯେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବୋର୍ଡ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।   ବାୟୁ ପ୍ରଦୂଷଣ ଦ୍ୱାରା ନନ-ଆଟେନମେଣ୍ଟ ସହର ଗୁଡିକରେ ଜୀବନ ଓ ଜୀବିକାକୁ କିପରି ପ୍ରଭାବିତ କରୁଛି ସେ ସମ୍ପର୍କରେ ମତ ରଖି ସାହିତ୍ୟିକ ତଥା ବାରିପଦା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ସୁବାସ ଚନ୍ଦ୍ର ପାତ୍ର କହିଥିଲେ ଯେ ବାୟୁ ପ୍ରଦୂଷଣର ପ୍ରଭାବକୁ କେବେଳ ମଣିଷ କୈନ୍ଦ୍ରିକ ହୋଇ ଆକଳନ କରିବା ଉଚିତ ନୁହେଁ। ଏହା ସମସ୍ତ ଜୀବଜଗତର କାର୍ଯ୍ୟଦକ୍ଷତା ଓ ଜୀବନକୁ ପ୍ରଭାବିତ କରୁଛି।  ବାୟୁ ପ୍ରଦୂଷଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ନିଜ ମତ ରଖି ଅନ୍ୟତମ ବକ୍ତା ଡାକ୍ତର ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ ବାୟୁ ପ୍ରଦୂଷଣ ଦ୍ୱାରା ହେଉଥିବା ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ଗୁଡିକ ଥରେ ଆରମ୍ଭ ହେଲେ ଆଉ କମେ ନାହିଁ। ବାୟୁ ପ୍ରଦୂଷଣ ଦ୍ୱାରା କି କି ରୋଗ ହେଇପାରେ ସେ ସମ୍ପର୍କରେ ସାଧାରଣ ଜନତା ବିଶେଷ ସଚେତନ ନୁହନ୍ତି। ତେଣୁ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ବାୟୁ ପ୍ରଦୂଷଣ ରୋକିବା ପାଇଁ ଜଣେ ସାଧାରଣ ବ୍ୟକ୍ତି କଣ କରିପାରିବ ସେ ସମ୍ପର୍କରେ ନିଜ ମତ ରଖି ସୁବେଦାର ମେଜର ଗିରିଶ କୁମାର ଷଢଙ୍ଗୀ କହିଥିଲେ ଯେ ମହିଳାମାନେ ଏ କ୍ଷେତ୍ରରେ ଏକ ଗୁରୁ ଦାୟିତ୍ୱ ଗ୍ରହଣ କରିପାରିବେ। ପିଲାମାନଙ୍କ ସହ ସେମାନଙ୍କ ପରିବାରର ଲୋକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି। ଜନସାଧାରଣଙ୍କ ସହଯୋଗ ନନ ଆଟେନମେଣ୍ଟ ସହର ଗୁଡିକରେ ନିର୍ମଳ ବାୟୁର ଚାହିଦା ସୃଷ୍ଟିରେ କିପରି ସହାୟକ ହେବ ସେ ସମ୍ପର୍କରେ ନିଜ ମତ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ଯନ୍ତ୍ରୀ ଶୁଭଦର୍ଶିନୀ ଦାସ କହିଥିଲେ ଯେ ଜାତୀୟ ନିର୍ମଳ ବାୟୁ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ଵୟରେ ଏହି ସହର ଗୁଡିକରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହା ପାଇଁ ଏୟାର ପଲ୍ୟୁସନ ଏମର୍ଜେନ୍ସି ରେସପନ୍ସ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇଛି। ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ଜନସାଧାରଣଙ୍କ ସହଯୋଗ ଓ ବାୟୁ ପ୍ରଦୂଷଣ ସମ୍ପର୍କିତ ସଚେତନତା ଉପରେ ନିର୍ଭର କରେ।

ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ବାୟୁ ପ୍ରଦୂଷଣ ରୋକିବାରେ ସହାୟକ ହେବ କି ବିଷୟରେ ନିଜ ମତ ରଖି ଚିକାଗୋ ବିଶ୍ୱବଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ବରିଷ୍ଠ ଡାଟା ବିଶ୍ଳେଷକ ଜ୍ୟୋତି ରଞ୍ଜନ ନାୟକ କହିଥିଲେ ଯେ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ସତର ପ୍ରକାରର ଶିଳ୍ପାନୁଷ୍ଠାନ ଗୁଡିକର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଓଡିଶା ସରକାର ଷ୍ଟାର ରେଟିଙ୍ଗ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକର ପରିବେଶ ପାରଦର୍ଶିତା ସମ୍ପର୍କରେ ସଚେତନ କରାଇବ। ଜନସାଧାରଣ ସଚେତନ ହେଲେ ଏହା ପ୍ରଦୂଷଣକୁ ରୋକିବା ଦିଗରେ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଚାପ ସୃଷ୍ଟି କରିବାରେ ସହାୟକ ହେବ।

ଏହି କର୍ମଶାଳାରେ ବାଲେଶ୍ୱର ସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। କର୍ମଶାଳାର ଶେଷରେ ବକ୍ତାମାନେ ଛାତ୍ର ଛାତ୍ରୀମାନଙ୍କ ବାୟୁ ପ୍ରଦୂଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଚିକାଗୋ ବିଶ୍ୱବଦ୍ୟାଳୟ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର କମ୍ୟୁନିକେସନ ଏବଂ ଆଉଟରିଚ ସଂଯୋଜକ ପରଂବ୍ରହ୍ମ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *