ସେବା ସପ୍ତାହକୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 10 ସେପ୍ଟେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଛନ୍ତି ଯେ, ଆଗାମୀ ସେପ୍ଟେମ୍ବର ୧୪ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିବେ । ବିଜେପିର କାର୍ଯ୍ୟକର୍ତମାନଙ୍କ ସହ ଭରତପୁର ବାସିନ୍ଦା ସେବା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ କାର୍ଯ୍ୟଶୈଳୀ ସଂର୍ପକୀତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଜୀବନଧାରା ଏବଂ ଉପଲବ୍ଧୀ ସଂର୍ପକୀତ ପୁସ୍ତକକୁ ସମସ୍ତ ସହର ଏବଂ ଜିଲ୍ଲାରେ ପ୍ରଦର୍ଶିତ କରାଯିବା ସହ ବରିଷ୍ଠ ନେତାମାନେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଏହି ପୁସ୍ତକକୁ ପ୍ରଦାନ କରିବେ ।

 

ପୂରା ଏକ ସପ୍ତାହ ଧରି ଏହି ସେବା ସପ୍ତାହ ପାଳନ କରାଯିବ । ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ ଆଦି ଆୟୋଜିତ କରାଯିବ । ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ । ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବା ସହ ବିଜେପି ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ୨୦ ତାରିଖ ଦିନ ସାରା ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଜୀ ‘ସିଙ୍ଗଲ ୟୁଜ ପ୍ଲ୍ାଷ୍ଟିକ’ ତଥା ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବେ । ଏହି ପରିପ୍ରେକ୍ଷୀରେ ବିଜେପି କାର୍ଯ୍ୟକର୍ତାମାନେ ନିଜ ଅଂଚଳର ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ । ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । 

Leave a Reply

Your email address will not be published. Required fields are marked *