ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର, ୨୨/୯(ଗ୍ରାଉଣ୍ଡଜିରୋ ଲାଇଭ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ତାଳଚେରଠାରେ ବହୁ ଦିନରୁ ପଡି ରହିଥିବା ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହତ୍ୱାକାଂକ୍ଷୀ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ଆଧୂନିକ ପ୍ରଯୁକ୍ତି କୋଶଳ ଉପଯୋଗରେ କୋଇଲାରୁ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ ଏବଂ ସେହି ବାଷ୍ପକୁ ବ୍ୟବହାର କରି ରସାୟନିକ ସାର ପ୍ରସ୍ତୁତ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସମୀକ୍ଷା କରି ଦେଖିଲେ ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧାପନ୍ତରିଆ ଅଥବା ପୁନରୁଦ୍ଧାର ଅପେକ୍ଷାରେ ପଡି ରହିଛି । ସେଥିମଧ୍ୟରେ ତାଳଚେର ସାର କାରଖାନା ଅନ୍ୟତମ । ତାଙ୍କ ସରକାର ଏହି ପ୍ରକଳ୍ପକୁ ପୁଣି ଥରେ ଆଧୂନିକ ଟେକ୍ନୋଲୋଜିରେ ନିର୍ମାଣ କରିବା ଲାଗି ସଂକଳ୍ପ ନେଲେ । ଏହି ନିଷ୍ପତିର ଅଂଶ ସ୍ୱରୂପ ଆଜି ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଆଧାରଶିଳା ରଖାଯାଇଛି । ଏହାକୁ ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ଏବଂ ସେ ନିଜେ ଏଠାକୁ ପୁଣି ଆସିବେ ଏବଂ ନବନିର୍ମିତ ସାର କାରଖାନାକୁ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି ପ୍ରସ୍ତାବିତ ସାର କାରଖାନାରେ ପ୍ରାୟ ୪ ହଜାର ଲୋକ କାର୍ଯ୍ୟ କରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ଦେଶର ଚାଷୀ ଏହି ସାର କାରଖାନା ଦ୍ୱାରା ଉପକୃତ ହେବେ । ଏବେ ବିଦେଶରୁ ୟୁରିଆ ଆମଦାନୀ ହେଉଛି । ଏଥିଲାଗି ଦେଶକୁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି । ତାଳଚେର ସାର କାରଖାନା ଦ୍ୱାରା ଓଡ଼ିଶା ଏବଂ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ । ଏଥିସହିତ ବିଦେଶରୁ ୟୁରିଆ ଆମଦାନୀ ମଧ୍ୟ କମିବ । ଅନେକ ଲୋକଙ୍କୁ ସାର କାରଖାନାରେ ନିଯୁକ୍ତି ସୁବିଧା ମିଳିବ । ଏହି ସଂକଳ୍ପ ନେଇ ଗ୍ୟାସ ଆଧାରିତ ସାର କାରଖାନାର ନିର୍ମାଣ କାର୍ଯ୍ୟକୁ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି ।

 

Leave a Reply

Your email address will not be published. Required fields are marked *