ଯୁବ ସୁଲଭ ଭାବନାକୁ ନେଇ କାମ କରିବା ଆମର ଦାୟିତ୍ୱ

ନୂଆଦିଲ୍ଲୀ, 28 ଡିସେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ) :
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି)ର ରାଲିରେ ଅଂଶଗ୍ରହଣ କରିଛନ୍ତି ।ଏହି ରାଲିରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ଏବଂ ସେ ଏନସିସିର ବିଭିନ୍ନ ଦଳ ଓ ବନ୍ଧୁ ତଥା ପଡୋଶୀ ରାଷ୍ଟ୍ରର କ୍ୟାଡେଟମାନଙ୍କ ପରେଡକୁ ନିରୀକ୍ଷଣ କରିଥିଲେ ।ସାଂସ୍କୃତିକ ପ୍ରଦର୍ଶନ ସହିତ ଏନସିସି କ୍ୟାଡେଟମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରୋମାଂଚକାରୀ ଖେଳ, ସଂଗୀତ ଓ ମଂଚ କଳା ଭଳି କ୍ଷେତ୍ରରେ ନିଜର କ୍ଷମତାକୁ ପ୍ରଦର୍ଶୀତ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରତିଭାବାନ ଏନସିସି କ୍ୟାଡେଟମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ନିଜ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନସିସି ଦେଶର ଯୁବକମାନଙ୍କ ମଧ୍ୟରେ ଶୃଙ୍ଖଳା, ଦୃଢ଼ତା ଓ ସମର୍ପଣ ଭାବନା ମଜବୁତ କରିବା ଲାଗି ମଂଚ ପ୍ରଦାନ କରିଥାଏ । ସେ କହିଥିଲେ ଯେ, ଏହି ଆଦର୍ଶ ଫଳରେ ଦେଶର ବିକାଶରେ ସହାୟତା ମିଳିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବିଶ୍ୱର ସବୁଠୁ ଯୁବ ଦେଶ ମଧ୍ୟରୁ ଅନ୍ୟତମ । କାରଣ ଏଠାରେ ୬୫ ପ୍ରତିଶତରୁ ଅଧିକ ଜନସଂଖ୍ୟାଙ୍କ ଆୟୁ ୩୫ ବର୍ଷରୁ କମ୍ । ସେ କହିଥିଲେ ଯେ, ଏହି ବାସ୍ତବତାକୁ ନେଇ ଆମେ ଗର୍ବିତ, କିନ୍ତୁ ଯୁବ ସୁଲଭ ଭାବନାକୁ ନେଇ କାମ କରିବା ମଧ୍ୟ ଆମର ଦାୟିତ୍ୱ । ସେ କହିଥିଲେ ଯେ, ଏହାର ଅର୍ଥ କୌଣସି ପ୍ରସଙ୍ଗକୁ ଟାଳି ନଦେଇ ତୁରନ୍ତ ତାର ସମାଧାନ କରିବା ଉଚିତ । ଯୁବମନ ଏହା ଚାହିଁଥାଏ ଏବଂ ଏହା ହିଁ ହେଉଛି ଯୁବ ଭାରତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅତୀତର ଆହ୍ୱାନଗୁଡିକୁ ମୁକାବିଲା କରିବା ସହ ବର୍ତମାନର ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ଆମେ ଭବିଷ୍ୟତର ଆକାଂକ୍ଷା ଲାଗି କାମ କରିବା ଜରୁରୀ । ସେ କହିଥିଲେ ଯେ, ଭାରତ ଆଜି ଯୁବ ଉତ୍ସାହ ଓ ମନୋଭାବ ସହିତ ଆଗକୁ ବଢ଼ୁଛି । ଆଜି ଭାରତ ନିକଟରେ ଯୁବସୁଲଭ ମାନସିକତା ଓ ମନୋଭାବ ରହିଛି । ଏହି କାରଣରୁ ଆଜି ଏହା ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ଓ ଆତଙ୍କବାଦୀ କ୍ୟାମ୍ପ ଉପରେ ସିଧାସଳଖ ଆକ୍ରମଣ କରିପାରୁଛି । ସେ କହିଥିଲେ ଯେ, ଯୁବସୁଲଭ ମନୋଭାବ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା ଲାଗି ଚାହିଁଥାଏ, ଏହା ମଧ୍ୟ ଚାହିଁଥାଏ ଯେ, କେହି ଯେପରି ପଛରେ ପଡି ନ ଯାଆନ୍ତି । ସେ କହିଥିଲେ, ଏହି ଭାବନା ସହିତ ଆମେ ବୋଡୋ ରାଜିନାମା ସ୍ୱାକ୍ଷର କଲୁ । ଏଥିରେ ସମସ୍ତ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ କରାଗଲା ଓ ବୁଝାମଣା ସ୍ୱାକ୍ଷରିତ ହେଲା ।
ଉତର-ପୂର୍ବାଂଚଳର ବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତର-ପୂର୍ବାଂଚଳର ବିକାଶ ଲକ୍ଷ୍ୟ ନେଇ ଖୋଲା ମନ ଓ ମସ୍ତିସ୍କରେ ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା ଆରମ୍ଭ କରାଗଲା । ଯାହାର ଫଳସ୍ୱରୂପ ଆଜି ବୋଡୋ ରାଜିନାମା ହୋଇପାରିଛି । ଯୁବ ଭାରତର ଚିନ୍ତାଧାରା ସମସ୍ତଙ୍କୁ ନେଇ ବିକାଶ ସହିତ ସଭିଙ୍କ ଭରସା ଜିତି ଦେଶକୁ ଆଗକୁ ନେଇଯାଉଛି ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *