ଓଡିଶା ହକି ବିଶ୍ୱକପ୍ ! ସାମିଲ ହେବେ ୮୦୦କଳାକାର

ଭୁବନେଶ୍ୱର, ୧/୧୧(ଗ୍ରାଉଣ୍ଡଜିରୋ ଲାଇଭ) : 
ଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଅନୁଷ୍ଠିତ ହେବ । ପ୍ରତିଯୋଗିତା ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୭ ତାରିଖରେ ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ । ଏଥିରେ ବଲିଉଡ୍‌ ଅଭିନେତା ଶାହରୁଖ ଖାଁ ଏବଂ ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରହମନ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବେ । ଆଉ ଜଣେ ଅଭିନେତ୍ରୀ ମଧ୍ୟ ଆକର୍ଷଣରେ ରହିବେ । ମାତ୍ର ତାଙ୍କ ସହ ଚୁକ୍ତି ସ୍ବାକ୍ଷରିତ ହୋଇ ନ ଥିବାରୁ ନାମ ପ୍ରକାଶ କରିବା ଏବେ ସମ୍ଭବ ହେଉନାହିଁ । ଓଡ଼ିଶାର କେତେକ ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଉତ୍ସବରେ ମୋଟ ୮୦୦ କଳାକାର ନୃତ୍ୟ ପ୍ରଦର୍ଶନ କରିବେ । ଅମିତାଭ ବଚନଙ୍କୁ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ମାତ୍ର ସେ ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଲୋକମାନଙ୍କ ମନରେ ଏହା ଯେପରି ଦୀର୍ଘଦିନ ସ୍ମରଣୀୟ ହୋଇ ରହିବ ସେଥିପାଇଁ ଉଦ୍ୟମ ହେଉଛି ବୋଲି ପ୍ରକାଶ କରିଛନ୍ତି କ୍ରୀଡ଼ା ସଚିବ ବିଶାଲ ଦେବ ।
ଉଦ୍‌ଘାଟନୀ ଉତ୍ସବ ପାଇଁ ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ ଟିକେଟ ନଭେମ୍ବର ୧୫ରୁ ବିକ୍ରି ହେବାର କାର୍ଯ୍ୟକ୍ରମ ରହିଛି । ଟିକେଟର ମୂଲ୍ୟ ୫୦୦ ଟଙ୍କା ରହିବ । ଦର୍ଶକଙ୍କ ପାଇଁ ୫୦ ପ୍ରତିଶତ ଟିକେଟ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଯେଉଁ ଦର୍ଶକମାନେ ଷ୍ଚାଡିୟମ ପ୍ରବେଶ ସୁଯୋଗ ନପାଇବେ ସୋମାନେ ବାହାରେ ବଡ ପରଦାରେ କାର୍ଯ୍ୟକ୍ରମ ଦେଖିପାରିବେ । ଷ୍ଚାଡିୟମରେ ବଡ ସ୍କ୍ରିନ୍ ଲଗାଯିବାର ବ୍ୟବସ୍ଥା କରାଯିବ । ଅନ୍ୟପକ୍ଷରେ ପୁରୀ ବେଳାଭୁମି, ରାଉରକେଲା, ଭୁବନେଶ୍ବରର ଜନତା ମଇଦାନ, କିଟ୍, ଏକାମ୍ର ହାଟ, ୟୁନିଟ୍-୧ ମାର୍କେଟରେ ବଡ ଏଲ୍ଇଡି ସ୍କ୍ରିନ୍ ଲଗାଯିବ । ଉଦ୍‌ଘାଟନୀ ଉତ୍ସବରେ ୧୯୭୫ ହକି ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବ । ଉତ୍ସବକୁ ଅନେକ ପୂର୍ବତନ ଖେଳାଳିଙ୍କୁ ନିମନ୍ତ୍ରଣ କରାଯାଇଛି । ସମୟ ପାଖେଇ ଆସିଲେ ସେମାନେ କେତେ ସଂଖ୍ୟାରେ ଉପଲବ୍ଧ ହେବେ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶାଲ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ଅଷ୍ଟ୍ରେଲିଆ ଯାଇ ଆମେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ସରକାରଙ୍କ ସହିତ ଆଲୋଚନା କରିଥିଲୁ । ଏହାର ଫଳ ସ୍ବରୂପ ଏବେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ଦଳ ଓଡ଼ିଶାରେ ପହଂଚିଛନ୍ତି । ବିଦେଶୀ ଦଳ ସହିତ ଖେଳିଲେ ଆମ ଖେଳାଳିମାନଙ୍କ ଅଭିଜ୍ଞତା ବଢ଼ିବ । ଆମ ଖେଳାଳିମାନେ ମଧ୍ୟ ବିଦେଶ ଯାଇ ମ୍ୟାଚ ଖେଳିବେ । ପ୍ରଦର୍ଶନୀ ମ୍ୟାଚ ପାଇଁ ଦର୍ଶକଙ୍କ ଲାଗି ଫ୍ରି ପାସ୍‌ର ବ୍ୟବସ୍ଥା କରାଯାଇଛି । ରାଉରକେଲାରେ ମଧ୍ୟ ୪ ତାରିଖରେ ପ୍ରଦର୍ଶନୀ ମ୍ୟାଚ ହେବ। ସେଠାରେ ରୁରାଲ ହକି ଖେଳାଳିଙ୍କ ପାଇଁ ସୁଯୋଗ ରହିବ। କେବଳ ମ୍ୟାଚ ନୁହେଁ ହକି ବିଶ୍ୱକପ ପୂର୍ବରୁ ଏହାପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଭୁବନେଶ୍ୱରର ଜନତା ମଇଦାନରେ ଯେପରି ସିଟି ଫେଷ୍ଟିଭାଲ ହେବ ରାଉରକେଲା ଓ ସୁନ୍ଦରଗଡ଼ ପରି ରାଜ୍ୟର ଅନ୍ୟ କେତେକ ସହରରେ ମଧ୍ୟ ତାହା ଆୟୋଜନ ହେବ ।
ହକି ବିଶ୍ୱକପ ଉଦ୍‌ଘାଟନୀ
  •  ବଲିଉଡ୍‌ ଅଭିନେତା ଶାହରୁଖ ଖାଁ, ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରହମନ ଓ ଆଉ ଜଣେ ଅଭିନେତ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ।
  •  ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।
  •  ନଭେମ୍ବର ୧୫ରୁ ଅନ୍‌ ଲାଇନ୍‌ (ticketgenie.in) ଓ ଅଫ୍‌ ଲାଇନ୍‌ ଟିକେଟ
  •  ଟିକେଟର ମୂଲ୍ୟ ୫୦୦ ଟଙ୍କା
  • ୧୯୭୫ ହକି ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବ

Leave a Reply

Your email address will not be published. Required fields are marked *