ରବିଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି

ଭୁବନେଶ୍ୱର,06 ଏପ୍ରିଲ :
କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରାଯିବା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଥିବା ପରିପ୍ରେକ୍ଷୀରେ ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ସମୟସୀମାକୁ ଅପ୍ରେଲ୍‌ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟସୀମା ଅପ୍ରେଲ୍‌ ୭ ତାରିଖ ଯାଏ ଥିଲା । ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଚାଷୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ମାର୍ଚ୍ଚ ୧ ତାରିଖରୁ ଅପ୍ରେଲ୍‌ ୭ ତାରିଖ ମଧ୍ୟରେ ସେମାନଙ୍କର ନାମ ନୂତନ ଭାବେ ପଞ୍ଜୀକରଣ କିମ୍ବା ପଞ୍ଜୀକୃତ ନାମକୁ ନବୀକରଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ନାମ ପଞ୍ଜୀକରଣ ତାଲିକା ସମ୍ବନ୍ଧରେ ଆପତ୍ତି ଓ ଅଭିଯୋଗର ଦାଖଲ କରିବାର ସମୟସୀମାକୁ ମଧ୍ୟ ଅପ୍ରେଲ୍‌ ୨୦ ତାରିଖ ପର୍ଯ୍ୟନ୍ତ ବଦ୍ଧୃି କରାଯାଇଛି । ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସାମାଜିକ ଦୂରତ୍ୱକୁ ବଜାୟ ରଖି ନାମ ପଞ୍ଜୀକରଣ କାର୍ଯ୍ୟ କରିବା ପାଇଁ ବିଭାଗ ପକ୍ଷରୁ ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟମ୍ପସ୍‌ ଆଦିକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ପର୍ଯ୍ୟନ୍ତ ରାଜ୍ୟର ୧୭ଟି ଜିଲ୍ଲାର ୧ ଲକ୍ଷ ୮୩ ହଜାର ୧୬୫ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ ଓ ନବୀକରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *