ତାଳଚେରଠାର ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ କଣ କହିଲେ ? ପଢନ୍ତୁ ସଂପୂର୍ଣ୍ଣ ଭାଷଣ

ତାଳଚେର, ୨୨/୯(ଗ୍ରାଉଣ୍ଡଜିରୋ ଲାଇଭ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ତାଳଚେର ମାଟିକୁ ବୀରଭୂମି ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ତାଳଚେର ସାର କାରଖାନା ନୂଆ ଓଡ଼ିଶା ନିର୍ମାଣର ନୂଆ ଜୀବନଗାଥା ହେବ । ଏହି ମାଟିରେ ଶ୍ରୀ ପବିତ୍ର ମୋହନ ପ୍ରଧାନ, ଶ୍ରୀ ସାରଙ୍ଗଧର ଦାସ, ବୈଷ୍ଣବ ପଟନାୟକ, ବାଜି ରାଉତ, ରାଜା ସୋମନାଥ ସିଂହଙ୍କ ଭଳି ବୀର ପୁତ୍ରମାନେ ଜନ୍ମ ନେଇ ସମାଜ ସଂସ୍କାର ଦିଗରେ କାର୍ଯ୍ୟ କରିବା ସହ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ । ଏଣୁ ତାଳଚେର ସବୁବେଳେ ରାଷ୍ଟ୍ର ନିର୍ମାଣର ଅଂଶ ହୋଇରହିଛି । ଏବେ ପ୍ରସ୍ତାବିତ ସାର କାରଖାନା ପୂର୍ବ ଭାରତର ବିକାଶକୁ ନୂତନ ଦିଗଦର୍ଶନ ଦେବ । ରୁଗ୍ଣ ସାର କାରଖାନା ବିଗତ ସରକାରର ବିଫଳତା ଥିବାବେଳେ ଏହି କାରଖାନାର ପୁନରୁଦ୍ଧାର ଏନଡିଏ ସରକାର ପାଇଁ ସଫଳତାର ପ୍ରତୀକ ହେବ । ପୂର୍ବ ସରକାର ବେଳେ ଅନେକ କାରଖାନା ବନ୍ଦହୋଇ ପଡିରହିଥିଲା । ତେବେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଦେଶରେ ରସାୟନିକ ସାରକୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯାଉଛି । ଏହି କାରଖାନାଗୁଡିକ ହେଲା- ଉତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି, ତେଲଙ୍ଗାନାର ରାମଗୁଣ୍ଡମ୍ ଏବଂ ବିହାରର ବରୋ÷ଣୀ ସାର କାରଖାନା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ସମ୍ବଳ ଥିଲା, ସଂଶାଧନ ଥିଲା, ଏବଂ ଟେକ୍ନୋଲୋଜି ମଧ୍ୟ ରହିଥିଲା, କିନ୍ତୁ ପୂର୍ବ ସରକାରର ସଂକଳ୍ପ କି ପ୍ରତିବଦ୍ଧତା ନଥିଲା, ଏଣୁ ସେମାନେ ଅସଫଳ ରହିଥିଲେ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ସମ୍ୟକ ସୂଚନା ଦେଇ କହିଥିଲେ ଯେ ଏହି ଯୋଜନା ଗରିବ ଲୋକଙ୍କୁ ଆର୍ଥିକ ସ୍ୱାକ୍ଷର କରିବା ସହ ବ୍ୟାଙ୍କ ସେବା ନେଟୱାର୍କ ମଧ୍ୟକୁ ଆଣିପାରିଛି । ଜନ ଧନ ଯୋଜନାରେ ଓଡ଼ିଶାରେ ୧ ଲକ୍ଷ ୩୦ କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି । ପୂର୍ବରୁ ଜଣେ ପ୍ରଧାନମନ୍ତ୍ରୀ କିଭଳି କେନ୍ଦ୍ର ସରକାରଙ୍କ ଅର୍ଥ ବାଟମାରଣା ହେଉଛି କହିଥିଲେ । କେନ୍ଦ୍ରରୁ ଆସୁଥିବା ଅର୍ଥ ୮୫ ପ୍ରତିଶତ ବାଟମାରଣା ହେଉଥିବା ବେଳେ ମାତ୍ର ୧୫ ଭାଗ ଲୋକଙ୍କ ପାଖରେ ପହଂଚୁଛି ବୋଲି ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ । ଏବେ ଏନଡିଏ ସରକାର ଏହି ବାଟମାରଣାକୁ ଜନ ଧନ ଯୋଜନା ଏବଂ ଆଧାର ସଂଯୋଗୀକରଣ ତଥା ଡିବିଟି ମାଧ୍ୟମରେ ସଂପୂର୍ଣ୍ଣ ରୂପେ ରୋକିବାରେ ସଫଳ ହୋଇଛନ୍ତି । ବର୍ତମାନର ବିଜେପି ନେତୃତ୍ୱାଧୀନ ସରକାର ସବୁ ଯୋଜନାର ସବସିଡି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଉଛି । ବାଟମାରଣା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଏପରିକି ୟୁରିଆ ସାରରେ ନିମ ପ୍ରଲେପ ଦ୍ୱାରା ଏହାର ବାଟମାରଣା ବନ୍ଦ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଓଡ଼ିଶାରେ ସ୍ୱଚ୍ଛତା ଅଭିଯାନର ଶିଥିଳ ଗତି ନେଇ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ୨୦୧୪ ରେ ଓଡ଼ିଶାରେ ସ୍ୱଚ୍ଛତା ହାର ୧୦ ପ୍ରତିଶତ ଥିଲା । ତାଙ୍କ ସରକାର ଆସିବା ପରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ବ୍ୟାପକ ମାତ୍ରାରେ ଚାଲିଲା ଏବଂ ରାଜ୍ୟରେ ଏହି ହାର ୫୫ ପ୍ରତିଶତରେ ପହଂଚିଛି । ତଥାପି ଓଡ଼ିଶାକୁ ଅନେକ କିଛି କରିବାର ଅଛି । ଓଡ଼ିଶାଠାରୁ ଅନେକ ଗରିବ ରାଜ୍ୟ ସ୍ୱଚ୍ଛତା କ୍ଷେତ୍ରରେ ଆଗରେ ରହିଛନ୍ତି । ଅନ୍ୟ ପକ୍ଷରେ ଓଡ଼ିଶାର ଅନେକ ସ୍ଥାନରେ ଏବେ ମଧ୍ୟ ଖୋଲାରେ ଶୌଚ ହେଉଛି । ରାଜ୍ୟରେ ଉତମ ସ୍ୱାସ୍ଥ୍ୟ ପାଇଁ, ଉତମ ସ୍ୱଚ୍ଛତା ଓ ସଂପୂର୍ଣ୍ଣ ସ୍ୱଚ୍ଛତା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା କାଲି ରାଂଚିରୁ ସେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶବ୍ୟାପୀ ଆରମ୍ଭ କରିବେ । ଏହାଦ୍ୱାରା ୧୦ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ବୀମା ସୁବିଧା ମିଳିବ । ଗରିବ ଲୋକମାନେ ଆଧୂନିକ ଚିକିତ୍ସା ସୁବିଧା ପାଇବେ । ପୂର୍ବରୁ ଚିକିତ୍ସା ଲାଗି ବିଭିନ୍ନ ସ୍ଥାନରେ ଦୁଃଖ କଷ୍ଟ ଭୋଗୁଥିବା ଏବଂ ଶୋଷିତ ହେଉଥିବା ପରିବାରଗୁଡିକ ଏବେ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଶର ବଡ ବଡ ଅଧିକୃତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବେ । ୨୭ଟି ରାଜ୍ୟ ଏଥିରେ ସାମିଲ ହୋଇଛନ୍ତି, କିନ୍ତୁ ଓଡ଼ିଶା ଏଥିରେ ସାମିଲ ନ ହେବା ଦୁର୍ଭାଗ୍ୟର ବିଷୟ । ଓଡ଼ିଶାର ଲକ୍ଷ୍ୟ ଲକ୍ଷ୍ୟ ଗରିବ ପରିବାରଙ୍କ କଲ୍ୟାଣ ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁହାର ରାଜ୍ୟରେ ଅଧିକ ରହିଛି । ଏହାକୁ ମଧ୍ୟ କମାଇବାକୁ ପଡିବ । ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୂନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ୫ ଟି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି । ଏଗୁଡିକ ହେଲା – ବାଲେଶ୍ୱର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ । ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୂନିକୀକରଣ କାର୍ଯ୍ୟ ଚାଲିଛି । ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ଆଧୂନିକୀକରଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ୨୦୧୪ ରେ ଏନଡିଏ ସରକାର କ୍ଷମତାକୁ ଆସିବାବେଳେ ଓଡ଼ିଶାରେ ଏଲପିଜି ଗ୍ୟାସ ସଂଯୋଗ ହାର ମାତ୍ର ୨୨ ପ୍ରତିଶତ ଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ ହେବାପରେ ରାଜ୍ୟରେ ଏଲପିଜି ବ୍ୟବହାରକାରୀଙ୍କ ହାର ୬୦ ରୁ ୬୫ ପ୍ରତିଶତ ପର୍ଯ୍ୟନ୍ତ ପହଂଚିଛି । ରାଜ୍ୟର ୫୦ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯାଇଛି । ୨୦୨୨ ସୁଦ୍ଧା ଦେଶରେ କେହି ହେଲେ ବାସହୀନ ରହିବେ ନାହିଁ । ଏହି ଲକ୍ଷ୍ୟ ନେଇ ଏନଡିଏ ସରକାର କାର୍ଯ୍ୟ କରୁଛି । ଓଡ଼ିଶାରେ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ମଂଜୁରି ଦିଆଯାଇଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଆବାସ ଯୋଜନାରେ ଗୃହ ନିର୍ମାଣ ହାର ୪୦ ପ୍ରତିଶତରେ ପହଂଚିଛି ।
ଓଡ଼ିଶାରେ ଟଙ୍କିକିଆ ଚାଉଳ ଯୋଜନାର ରହସ୍ୟ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ମାସରେ ରାଜ୍ୟର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାଲାଗି କେନ୍ଦ୍ର ସରକାର ମାସିକ ୪୫୦ କୋଟି ଟଙ୍କା ସହାୟତା ଦେଉଛନ୍ତି । ପ୍ରତି କିଲୋ ଚାଉଳ ପିଛା କେନ୍ଦ୍ର ସରକାର ୨୫ ରୁ ୩୦ ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି । ସାଧାରଣ ବଂଟନ ବ୍ୟବସ୍ଥାକୁ ସୁସଂଗତ କରାଯାଇ ଖାଦ୍ୟ ସାମଗ୍ରୀର ବାଟମାରଣା କରାଯାଇଛି । ଏଣୁ ଗରିବ ଲୋକଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇବାର ଅଧିକ ଶ୍ରେୟ କେନ୍ଦ୍ର ସରକାରଙ୍କର ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଓବିସି କମିଶନ ଗଠନ କରି ଏହାକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବାର ଐତିହାସିକ ପଦକ୍ଷେପ ନେଇଛନ୍ତି । ତିନି ତଲାକ ଭଳି ପ୍ରଥା ଦ୍ୱାରା ମୁସଲିମ ସମାଜର ଭଉଣୀମାନଙ୍କ ଜୀବନ ଦୁର୍ବିସହ ହେଉଥିଲା । ଏନଡିଏ ସରକାର ପ୍ରଥମେ ଲୋକସଭାରେ ଏହାକୁ ପାସ କରାଇଥିଲେ । କିନ୍ତୁ ରାଜ୍ୟସଭାରେ ଗୃହୀତ ନ କରାଇବା ପାଇଁ ଉଦ୍ୟମ ହେଉଛି । ତଥାପି ତାଙ୍କ ସରକାର ନିଷ୍ଠାର ସହ ଏ ଦିଗରେ ଆଗକୁ ବଢି ତିନି ଦିନ ତଳେ ତିନି ତଲାକ ସଂପର୍କୀତ ଅଧ୍ୟାଦେଶ ଜାରୀ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *