୨୪ରେ ଓଡ଼ିଶା ଆସିବେ ମୋଦି, ଜାଣନ୍ତୁ କେତେ କୋଟି ଟଙ୍କାର ପ୍ୟାକେଜ କରିବେ ଘୋଷଣା

ଭୁବନେଶ୍ୱର, ୨୧/୧୨(ଗ୍ରାଉଣ୍ଡଜିରୋ ଲାଇଭ): 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ଜୋର ଧରିଛି । ପ୍ରଧାନମନ୍ତ୍ରୀ ଆସନ୍ତା ୨୪ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ୧୪ହଜାର ୫ଶହ ୨୩ କୋଟି ଟଙ୍କାର ପ୍ୟାକେଜ ନେଇ ଓଡିଶା ଆସୁଛନ୍ତି ବୋଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀଭବନଠାରେ ଗୁରୁବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡ଼ିଶା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ରହିଛି। ଗତ ସାଢେ ୪ବର୍ଷର ଶାସନ କାଳରେ ଓଡ଼ିଶାରେ ଅନେକ କେନ୍ଦ୍ରୀୟ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିଛି ।
ଏହି ଅବସରରେ(ଡିସେମ୍ୱର ୨୪ରେ) ନିମ୍ନଲିଖିତ କାର୍ଯ୍ୟକ୍ରମ ରହିଛି
  • ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
  • ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପ୍‌ଲାଇନ କାମର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
  • ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ପାଇଁ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକଟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେଷଣା ଚେୟାର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ । ଏଥିପାଇଁ ୫କୋଟି ଟଙ୍କାର କପର୍ସ ଫଣ୍ଡ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ।
  • ଲଳିତଗିରିକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ଉଦ୍‌ଘାଟନ କରିବେ ।
  • ଭୁବନେଶ୍ୱରସ୍ଥିତ ଇଏସ୍‌ଆଇ ହସପିଟାଲକୁ ୭୫.୩ କୋଟି ଟଙ୍କା ଖର୍ଚ୍ଚରେ ୧୦୦ଶଯ୍ୟା ବିଶିଷ୍ଟ କରାଯିବ ।
  • ପୁରୁଣା ଏନଏଚ-୫ ତଥା ବର୍ତ୍ତମାନ ଏନଏଚ-୧୬ର ୬ଲେନ୍‌ ଓ କଟକ-ଅନୁଗୋଳ ରାସ୍ତାର ୪ ଲେନ୍‌ କାର୍ଯ୍ୟ ଶୁଭାରମ୍ଭ ହେବ । 
ଭୁବନେଶ୍ୱର ସ୍ଥିତ ଆଇଆଇଟି କ୍ୟାମ୍ପସରେ ଏହି ସମସ୍ତ କାର୍ଯ୍ୟର ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *