ରାଜଧାନୀର କଳଙ୍କ, ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ଭୁବନେଶ୍ୱର,୨୧/୧୧(ଗ୍ରାଉଣ୍ଡଜିରୋ ଲାଇଭ) : 
ରାଜଧାନୀରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯିବା ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର, ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲା ବଡଚଣା ଅଞ୍ଚଳର ପ୍ରତାପ ଚନ୍ଦ୍ର ସାମଲ(୩୨) ।
ସୂଚନା ଅନୁସାରେ ରାଜଧାନୀର ପଟିଆ ଅଞ୍ଚଳରେ ସେ ରହୁଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ସେ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇଥିଲେ । ଗତ ଅଗଷ୍ଟ ୨୩ରେ ନାବାଳିକାଙ୍କ ଘର ଲୋକ ନ ଥିବାବେଳେ ପ୍ରତାପ ତାଙ୍କୁ ଅପହରଣ କରିନେଇଥିଲେ । ସେଠାରେ ନାବାଳିକା ଜଣଙ୍କୁ ସେ ବଳାତ୍କାର କରିଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା(୩୫୪/୧୮) ରୁଜୁ ହୋଇଥିଲା । ମୋବାଇଲ ଫୋନକୁ ଟ୍ରାକ କରି ପୋଲିସ ମଙ୍ଗଳବାର ଦିନ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି । ଏହାପରେ ନାବାଳିକାଙ୍କ ଡାକ୍ତରୀମାଇନା କରିବା ସହ ବୟାନ ରେକର୍ଡ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *