ଓଡିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ଦାସଙ୍କର ଜୟନ୍ତୀ ଏବଂ ଶ୍ରାଦ୍ଧଦିବସକୁ ପାଳନ କରନ୍ତୁ ରାଜ୍ୟସରକାର

ଭୁବନେଶ୍ୱର,ତା୦୬/୧୧: ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ତଥା ସ୍ୱାଧୀନତା ସଂଗ୍ରାମୀ ମୁକୁନ୍ଦ ପ୍ରସାଦ ଦାସଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଆଜି ମୁକୁନ୍ଦ ଦାସ ଫାଉଣ୍ଡେସନ ପକ୍ଷରୁ ଝାରପଡା ମଧୁର ମୟୀ ଆଦର୍ଶ ଶିକ୍ଷା ନିକେତନରେ (କଏଦି ଶିଶୁଙ୍କ ଉଦ୍ଦେଶ୍ୟରେ ଛାତ୍ରବାସ) ସ୍ୱର୍ଗତଃ ଦାସଙ୍କ ସ୍ମ୍ମୃତି ଚାରଣ କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗତଃ ଦାସ ଜଣେ ଜାତୀୟବାଦୀ, ସ୍ୱାଧୀନତା ପ୍ରେମୀ, ହିତାକାଂକ୍ଷୀ ଓ ଉଦାରପନ୍ଥୀ ଲୋକ ଥିଲେ । ତାଙ୍କ ଘର ଓ ସପରିବାର ଥିଲା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଆଶ୍ରୟସ୍ଥଳୀ । ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସେ ନିଜେ ଏବଂ ତାଙ୍କ ପରିବାର ବ୍ରିଟିଶ ଶାସନ ସମୟରେ ବହୁବାର ଜେଲବରଣ କରିଥିଲେ । ବ୍ରିଟିଶ ସରକାରଙ୍କ ୧୯୩୫ ମସିହା ଭାରତ ଆଇନ ଅନୁଯାୟୀ ଓଡିଶା ବିହାରରୁ ଅଲଗା ହୋଇ ସ୍ୱତନ୍ତ୍ର ପ୍ରଦେଶ ହେଲା । ୬୦ଆସନ ବିଶିଷ୍ଠ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନରେ ଉକ୍ରଳ ୟୁନିଅନ କଂଗ୍ରେସରୁ ବାଲେଶ୍ୱରରୁ ଜୟଲାଭ କରିଥିଲେ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ବୋଲି ଅଣନାତି ତଥା ଯୁବନେତା ଠାକୁର ରଂଜିତ ଦାସ କହିଥିଲେ ।
ବିଧାନସଭା ପରିଚାଳନା, ତା’ର ନିୟମ ଓ ସଭାଗୃହର ସମ୍ମାନ ବଜାୟ ରଖିବା ପାଇଁ ବିଭିନ୍ନ ନିୟମମାନ ମୁକୁନ୍ଦ ବାବୁ ପ୍ରଣୟନ କରିଥିଲେ । ବିଧାନସଭା ପରିଚାଳନରେ ନିଜର ଉପସ୍ଥିତ ବୁଦ୍ଧି ଓ ବିଚକ୍ଷଣ କାର୍ଯ୍ୟଦକ୍ଷତା ବଳରେ ସୁନ୍ଦର ଭାବରେ ଗୃହକୁ ପରିଚାଳନା କରୁଥିଲେ ବୋଲି ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କହିଛନ୍ତି ।


ସର୍ବଦା କୃଷକମାନଙ୍କ ପାଇଁ ଚିନ୍ତିତ ଥିବା ମୁକୁନ୍ଦ ବାବୁ ରାଜ୍ୟରେ କୃଷିର ବିକାଶ ପାଇଁ ଅନେକ ସଂସ୍କାରମୁଳକ କାର୍ଯ୍ୟ କରିଥିଲେ । ସ୍ୱାଧିନତା ପରେ ଓଡିଶା ଭୂସଂସ୍କାର କମିଶନ ବସିବା ସମୟରେ ରୟତମାନଙ୍କୁ ସଂଗଠିତ କରି ରାଜ୍ୟର କୃଷକମାନଙ୍କ ଦାବୀ ଉପସ୍ଥାପିତ କରିଥିଲେ । କୃଷି ବ୍ୟତୀତ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତର ସୁରକ୍ଷା ପାଇଁ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ରାଜ୍ୟସରକାରଙ୍କ ଲୋକ ସଂର୍ପକ ବିଭାଗ ପକ୍ଷରୁ ପ୍ରଥମ ବାଚସ୍ପତି ମୁକୁନ୍ଦ ଦାସଙ୍କର ଜୟନ୍ତୀ ଏବଂ ଶ୍ରାଦ୍ଧଦିବସକୁ ପାଳନ କରାଯାଉ ବୋଲି ଉକ୍ରଳ ପ୍ରସଙ୍ଗର ପୂର୍ବତନ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର କହିଥିଲେ ।
ଆଜିର ଦିନରେ ତାଙ୍କୁ ମନେ ପକାଇ ତାଙ୍କ ନିସ୍ୱାର୍ଥପର ଦେଶ ସେବାର ଜୀବନଶୈଳୀରେ ଅନୁପ୍ରାଣିତ ହେବା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି । ସଭାପରେ ଶିକ୍ଷାନିକେତନର ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରିବା ଖାଦ୍ୟ ବଂଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *