ଗୋଲ୍ଡେନ ବୟ ସୁଶୀଲ ଓ ରାହୁଲଙ୍କ କମାଲ

ଅଷ୍ଟ୍ରେଲିଆ,୧୨/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଗୋଲ୍ଡ କୋଷ୍ଟଠାରେ ଚାଲୁଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ର ଅଷ୍ଟମ ଦିନରେ ଭାରତକୁ କୁସ୍ତିରେ  ୪ ଟି ପଦକ ମିଳିଛି । ପୁରୁଷ ୭୪ କିଲୋଗ୍ରାମ ବର୍ଗରେ ସୁଶୀଲ କୁମାର ଭାରତକୁ ସ୍ୱର୍ଣ୍ଣ ପଦକ ଆଣି ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ଜୋହାନସ ବୋଥାଙ୍କୁ ୧୦-୦ ପଏଣ୍ଟରେ ହରାଇ ଭାରତ ପାଇଁ ୧୪ ନମ୍ବର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥରର ସ୍ୱର୍ଣ୍ଣ ପଦକକୁ ମିଶାଇ ସୁଶୀଲଙ୍କର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ୩ ନମ୍ବର ପଦକ । ପୂର୍ବରୁ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁଶୀଲ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ପୁରୁଷ ୫୭ କିଲୋଗ୍ରାମ ବର୍ଗୀୟ କୁସ୍ତି ପ୍ରତିଯୋଗିତାରେ ରାହୁଲ ଅବାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କାନାଡାର ପ୍ରତିଦ୍ୱନ୍ଦୀକୁ ୧୫-୭ ପଏଣ୍ଟରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ମହିଳା ୭୬ କିଲୋଗ୍ରାମ ବର୍ଗରେ କିରନ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ଫ୍ରି ଷ୍ଟାଇଲ କୁସ୍ତିର ୫୩ କିଲୋଗ୍ରାମ ବର୍ଗର ଫାଇନାଲ ମ୍ୟାଚରେ କାନାଡାର ଡାଇନା ବିକରଙ୍କ ଠାରୁ ପରାସ୍ତ ହୋଇ ଭାରତୀୟ ରେସଲର ବବିତା କୁମାରୀଙ୍କୁ ରୋପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ଏହି ୪ଟି ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୨୯ ଛୁଇଁଛି ଯେଉଁଥିରେକି ୧୪ଟି ସ୍ୱର୍ଣ୍ଣ, ୬ଟି ରୋପ୍ୟ ଓ ୯ଟି କାଂସ୍ୟ ପଦକ ସାମିଲ ଅଛି ।

Leave a Reply

Your email address will not be published. Required fields are marked *