ସ୍ୱର୍ଗତ ଡାକ୍ତର କେଳୁଚରଣ ପଟ୍ଟନାୟକ ସ୍ମୃତି ଦାତବ୍ୟ ସଂଗଠନ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା

ପିପିଲି , 24 ନଭେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ):

ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ସହରର ଅଠରଭାଗ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳ ଭାବେ ଆୟୋଜିତ ହୋଇଯାଇଛି। ଅଠରଭାଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି ଦ୍ୱିତୀୟ ସ୍ୱାସ୍ଥ୍ୟ ତଥା ଚିକିତ୍ସା ଶିବିରରେ ଅଠରଭାଗ ଗ୍ରାମ ବ୍ୟତୀତ ନିକଟବର୍ତ୍ତୀ ଗ୍ରାମର ପ୍ରାୟ 70 ଜଣ ଗ୍ରାମବାସୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଶିବିରରେ ଗ୍ରାମବାସୀମାନେ ମାଗଣା ଚକ୍ଷୁ ପରୀକ୍ଷା କରାଇଥିଲେ। ଚକ୍ଷୁ ବିଭାଗରେ ପ୍ରାୟ 10ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ ହୋଇଥିଲେ। ଏହାସହ ଦନ୍ତରୋଗର ମଧ୍ୟ ନିରୂପଣ କରାଯାଇଥିଲା। ଡାକ୍ତରମାନେ ରୋଗୀ ମାନଙ୍କୁ ଆବଶ୍ୟକୀୟ ଔଷଧ ମାଗଣାରେ ଯୋଗାଇଦେବା ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଚକ୍ଷୁ ବିଭାଗରେ ଡାକ୍ତର ପି.କେ ମହାନ୍ତି ଓ ଦନ୍ତ ବିଭାଗରେ ଡାକ୍ତର ବିଭୁଦତ୍ତ ମହାନ୍ତି ରୋଗୀ ମାନଙ୍କୁ ପରିଚାଳନା କରିଥିଲେ। ଚକ୍ଷୁ ଏବଂ ଦନ୍ତ ରୋଗ ଏକ ସାଧାରଣ ରୋଗରେ ପରିଣତ ହୋଇଥିବା ବେଳେ କୌଣସି ପ୍ରକାରର ଭୟ ନକରି ଏହାର ସଠିକ୍ ମାର୍ଗରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇଲେ ଭବିଷ୍ୟତରେ କୌଣସି ପ୍ରକାରର ବିପଦ ରହିନଥାଏ ବୋଲି ଆୟୋଜକ ତଥା ସ୍ୱର୍ଗତ ଡାକ୍ତର କେଳୁଚରଣ ପଟ୍ଟନାୟକ ସ୍ମୃତି ଦାତବ୍ୟ ସଂଗଠନ ଓ ଗବେଷଣା ପ୍ରତିଷ୍ଠାନର ଟ୍ରଷ୍ଟି ଡାକ୍ତର ଶୁଭାଶିଷ ପଟ୍ଟନାୟକ କହିଛନ୍ତି। ଅପରପକ୍ଷରେ ଗ୍ରାମବାସୀମାନେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଚିକିତ୍ସା ଶିବିରର ସୁପରିଚାଳନା ନିମନ୍ତେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *