ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୦.୨: ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଇନ୍ଦ୍ର ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସୁସମ୍ପର୍କ ସ୍ଥାପନ, କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଛି । ଏହାଛଡ଼ା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ସତ୍ୟ, ଅହିଂସାରେ ଅନୁପ୍ରାଣିତ ହୋଇ ସେ ଦୀର୍ଘବର୍ଷ ହେବ ସମାଜସେବାରେ ଲିପ୍ତ ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ସମ୍ପାଦକ ମନୋଜ ଜେନା, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡଃ ଭଗବାନ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାଛଡ଼ା ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସମ୍ପାଦିକା, ସମାଜସେବୀକା ସମିତା ମହାରଣା, ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା, କୋଷାଧ୍ୟକ୍ଷ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହି ତାଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ରପ୍ତାନୀ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବ୍ୟକ୍ତିବିଶେଷ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହିପରି କାର୍ଯ୍ୟକ୍ରମକୁ ସବୁ ମହଲରୁ ସ୍ୱାଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *