୧୧ଦିନ ସମୁଦ୍ରରେ ରହି ଭୟଙ୍କର ହୋଇଥିଲା ଫନି

୧୪ ମଇ ୨୦୧୯, ଗ୍ରାଉଣ୍ଡଜିରୋ ଲାଇଭ

ମଇ ୩ ତାରିଖରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟା ଫନି ଦୀର୍ଘ ୧୧ ଦିନ ଧରି ସମୁଦ୍ରରେ ରହିଥିଲା । ତେବେ ଏକ ଲଘୁଚାପ ଭାବେ ସୃଷ୍ଟି ହେବା ପରେ ସବୁଠାରୁ ଅଧିକ ସମୟ ଧରି ତିଷ୍ଠି ରହିଥିବା ବାତ୍ୟା ହେଉଛି ଫନି ବୋଲି ବିଶେଷଜ୍ଞ କହିଛନ୍ତି । ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ପ୍ରଳୟଙ୍କରୀ ବାତ୍ୟା ଫନି ଉଭୟ ସମୁଦ୍ର ଓ ସ୍ଥଳଭାଗରେ ଦୀର୍ଘ ୧୧ ଦିନ ଧରି ତିଷ୍ଠି ରହିଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଏହି ଭୟଙ୍କର ବାତ୍ୟାର ତୀବ୍ରତା ସମୁଦ୍ରରେ ସମାନ ରହିଥିଲା ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟରେ ଲ୍ୟାଣ୍ଡଫଲ୍ ହେବା ପରେ ମଧ୍ୟ ଏହାର ତୀବ୍ରତା କମି ନଥିଲା । ତେବେ ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ପ୍ରବଳ ମାତ୍ରାରେ ବର୍ଷା ହୋଇନଥିଲା ବୋଲି ଡ. ସାହୁ କହିଛନ୍ତି । ସାତପଡ଼ାରେ ଏହି ସମୟରେ ସମୁଦ୍ରର ଢ଼େଉର ଉଚ୍ଚତା ୧୦ ଫୁଟ ରହିଥିଲା ଏବଂ ପବନର ଗତି ଘଂଟା ପ୍ରତି ୨୦୦ କିମିରୁ ଅଧିକ ଥିଲା । ଏହି ଘୂର୍ଣ୍ଣିବାତ୍ୟା ଏପ୍ରିଲ ୨୪ ତାରିଖରୁ ଲଘୁଚାପର ରୂପ ନେଇଥିବା ବେଳେ ଲ୍ୟାଣ୍ଡଫଲ୍ ପରେ ଉପକୂଳ ଲଂଘିବା ପାଇଁ ଦୁଇଘଂଟା ସମୟ ନେଇଥିଲା ଏବଂ ତା’ପରେ ଭୁବନେଶ୍ୱର ଓ ତାର ନିକଟବର୍ତୀ ଅଂଚଳକୁ ମୁହାଁଇଥିଲା । ବାତ୍ୟାର ଆଖିର ପରିସର ମଧ୍ୟରେ ଓଡ଼ିଶାର ରାଜଧାନୀ ରହିଥିଲା । ଏହି ଆଖିର ପରିଧି ୨୮ କିମି ଥିଲା ଏବଂ ଏହା ୨୨ କିମି ବେଗରେ ଗତି କରୁଥିଲା । ବାତ୍ୟା ପ୍ରାୟ ୩୦ ମିନିଟ୍ ପାଇଁ ଥମି ଯାଇଥିଲେ ମଧ୍ୟ ଏହା ପରେ ପବନର ଗତି ଏବଂ ଦିଗ ବଦଳିଯାଇଥିଲା । ବାତ୍ୟାର ଆଖି ଉପକୂଳ ଲଂଘିବା ପରେ ପବନର ବେଗ ବୃଦ୍ଧି ପାଇଥିଲା ।

Leave a Reply

Your email address will not be published. Required fields are marked *