ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର,09 ଏପ୍ରିଲ :

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା

 କୋଭିଡ୍‌-୧୯ର ସଫଳ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବହୁବିଧ ପଦକ୍ଷେପଗୁଡ଼ିକୁ ଓଡ଼ିଶାର ଜନସାଧାରଣ ପୂର୍ଣ୍ଣ ସହଯୋଗ ଓ ସମର୍ଥନ କରିଥିବାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

 ବର୍ତ୍ତମାନ ଚାଲିଥିବା ଲକ୍‌ ଡାଉନ୍‌ର ସମୟସୀମାକୁ ଆସନ୍ତା ଅପ୍ରେଲ୍‌ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରି ଏଭଳି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ସବୁଠାରୁ ଗୁରୁତ୍ୱଦେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଓ ଅପ୍ରେଲ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ ଡାଉନ୍‌କୁ ବୃଦ୍ଧି କରି ସମସ୍ତ ରେଳ ଓ ବିମାନ ସେବା ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି  ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

 ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀ ଓଡ଼ିଆ ଭାଇଭଉଣୀଙ୍କର ଯତ୍ନ ନେବାପାଇଁ ସେସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମଜୀବୀ ବନ୍ଧୁମାନଙ୍କର ଯତ୍ନ ନେଉଛନ୍ତି ।

 ଏହି ଲକ୍‌ ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଚାଲୁ ରହିବ । କିନ୍ତୁ, ସାମାଜିକ ଦୂରତା ସଠିକ୍‌ ଭାବେ ପାଳନ କରାଯିବ ।

 ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମମାନ ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ କାମରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବ ।

 ଖାଦ୍ୟ ନିରାପତ୍ତା ସରକାରଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକ୍‌ ଡାଉନ୍‌ ସମୟରେ ଯେପରି ମାଲ ପରିବହନରେ ବାଧା ସୃଷ୍ଟି ନହୁଏ ସେଥି ପାଇଁ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 ଯେଉଁ ଡାକ୍ତରମାନେ  ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଟେଲିମେଡିସିନ୍‌ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ  ମୁଖ୍ୟମନ୍ତ୍ରୀ ଧନ୍ୟବାଦ
ଜଣାଇଛନ୍ତି । ଇତି ମଧ୍ୟରେ ଟେଲିମେଡିସିନ୍‌ ସେବା ଆରମ୍ଭ ହୋଇଯାଇଛି ଏବଂ ୫୦୦ରୁ ଉର୍ଦ୍ଧ୍ଵ ଡାକ୍ତରମାନେ ସେବା ଯୋଗାଇଦେବା ପାଇଁ ପଞ୍ଜୀକରଣ କରିଛନ୍ତି ।

 ରାଜ୍ୟର ସବୁ ସ୍କୁଲ ଓ କଲେଜ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

 ଆଇସିଏମ୍‌ଆର୍‌ ସ୍ୱୀକୃତ କୋଭିଡ୍‌-୧୯ ରାପିଡ୍‌ ଟେଷ୍ଟିଂ କିଟ୍‌ କିଣିବା ପାଇଁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ଏକ ଲକ୍ଷ ରାପିଡ୍‌ ଟେଷ୍ଟିଂ କିଟ୍‌ କିଣାଯିବ । ଏହା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ କୋଭିଡ୍‌-୧୯ ପରୀକ୍ଷା ହୋଇପାରିବ ।

 ଏକ ଅଧ୍ୟାଦେଶ ଜରିଆରେ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ଏହା ଫଳରେ (କ) ଦଣ୍ଡବିଧାନ ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସର୍ବାଧିକ ୨ ବର୍ଷ ଜେଲ୍ କିମ୍ବା ୧୦୦୦୦ ଟଙ୍କା ବା ଉଭୟରେ ଦଣ୍ଡିତ କରାଯିବ । (ଖ) ପ୍ରତିଟି ଅପରାଧକୁ ଧର୍ତ୍ତବ୍ୟ ବୋଲି ଗ୍ରହଣ କରାଯିବ ଏବଂ ଏହା ଜାମିନ୍‌ ଯୋଗ୍ୟ ରହିବ ।

 ଓଡ଼ିଶା କୋଭିଡ୍‌-୧୯ ନିୟମ-୨୦୨୦ରେ ସଂଶୋଧନକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ଏହା ଫଳରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ ।

 ସାରା ବିଶ୍ୱରେ ଏକ ବଡ଼ ବିପଦର ରୂପ ନେଇଥିବା କୋଭିଡ୍‌-୧୯ର ପ୍ରତିରୋଧ, ପରିଚାଳନା ଓ ପ୍ରତିଷେଧକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଖର୍ଚ୍ଚ ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠି(କଣ୍ଟିଜେନ୍ସି ପାଣ୍ଠି)କୁ ୪୦୦ କୋଟି ଟଙ୍କାରୁ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହା ଅନୁମୋଦିତ ହୋଇଛି । ବର୍ତ୍ତମାନ ଓଡ଼ିଶା ବିଧାନସଭା ଅଧିବେଶନ ଚାଲୁନଥିବାରୁ ଏହି ବୃଦ୍ଧି ବାବଦରେ ଏକ ଅଧ୍ୟାଦେଶ ଜାରି କରାଯିବ ।

 ଓଡ଼ିଶା ଜଳବିଦ୍ୟୁତ ନିଗମ ଏବଂ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ର ସହଭାଗିତାରେ ଆଜି ଗଜପତି ଜିଲ୍ଲାରେ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌ରେ ଆଉ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟାରମ୍ଭ କରିଛି । ଏଥି ସହିତ କଟକ, ଯାଜପୁର, କେଉଁଝରର ଯୋଡା, ପୁରୀ, ରାଉରକେଲା ଏବଂ ଭୁବନେଶ୍ୱରରେ ୨ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲର ଶଯ୍ୟା ସଂଖ୍ୟା ମିଶାଇ ସମୁଦାୟ ୧୫୯୭ ହୋଇଛି ।

 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୬୮,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୦୦୭ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭନ୍ନି ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛି ।

 ଆଜି ରାଜ୍ୟର ୫୩୧୪ ଗ୍ରାମ ପଞ୍ଚାୟତରେ ୩,୩୧,୬୩୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ଟି ପୌରାଞ୍ଚଳରେ ୩୨,୪୧୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

 ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୮ରୁ ଅପ୍ରେଲ ୯ ତାରଖି ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୫୧ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୩୯ଟି ମାମଲା ଲକ  ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୫ଟି ଗୁଜବ ସୃଷ୍ଟି ପାଇଁ ଓ ୭ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ । ବିଭିନ୍ନ ଅଭିଯୋଗରେ ୨୫୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

 ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୦ ଜଣଙ୍କୁ ପୋଲିସ୍‌ ଗିରଫ କରିଛି ।

 ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୨୮୪୧ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି ।

 ଆଜି ୧୦୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

 ଆଜି ଚିହ୍ନିତ ହୋଇଥିବା ୨ ଜଣ କୋଭିଡ୍‌-୧୯ ପଜିଟିଭଙ୍କ୍‌ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ଓ ନିରୀକ୍ଷଣ କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *