ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ଅଭିନବ ପ୍ରୟାସ

ଭୁବନେଶ୍ବର, 14 ସେପ୍ଟେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ):
ନବନିର୍ବାଚିତ ରାଜ୍ୟ ସରକାର ଶାସନକଳକୁ ଲୋକାଭିମୁଖୀ କରାଇବା ପାଇଁ 5T ମନ୍ତ୍ର ଉପରେ ଗୁରୁତ୍ୱ ଦେଉଛନ୍ତି| ଏହି ମନ୍ତ୍ରରେ ଥିବା 5ଟି T ହେଲେ ଟିମୱାର୍କ (ସଂଘବଦ୍ଧ କାର୍ଯ୍ୟ), ଟେକ୍ନୋଲୋଜି(ପ୍ରଯୁକ୍ତି କୌଶଳ), ଟ୍ରାନ୍ସପରେନସି(ସ୍ୱଛତା), ଟ୍ରାନ୍ସଫରମେସନ( ସକାରାତ୍ମକ ପରିବର୍ତ୍ତନ) ଏବଂ ଟାଇମ ଲିମିଟ(ସମୟବଦ୍ଧତା)| ତଥ୍ୟ ସାର୍ଵଜନୀକରଣ ସରକାରୀ ଯୋଜନାର ସ୍ୱଛତା ଓ ପାରଦର୍ଶିତା ବୃଦ୍ଧି କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ| ତଥ୍ୟର ସାର୍ଵଜନୀକରଣ ହେବ ଦ୍ୱାରା ଜନ ସାଧାରଣ ଏକ କାର୍ଯ୍ୟକ୍ରମର ଆଭିମୁଖ୍ୟ, ପ୍ରଗତି ଓ ଏହାର ସେମାନଙ୍କ ଜୀବନ ଉପରେ ପ୍ରଭାବ ସମ୍ପର୍କରେ ସଠିକ ଭାବେ ଅବଗତ ହୋଇ ପାରନ୍ତି| ଏହାଛଡା ତଥ୍ୟର ସାର୍ଵଜନୀକରଣ କାର୍ଯ୍ୟକ୍ରମର କ୍ରିୟାନ୍ୱୟନ ପାଇଁ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କର ଉତ୍ତରଦାୟିତ୍ୱ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ| ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି କ୍ଷେତ୍ରରେ ତଥ୍ୟ ସାର୍ଵଜନୀକରଣ ବ୍ୟବସ୍ଥା ଏକ ପ୍ରଭାବୀ ଭୂମିକା ଗ୍ରହଣ କରିଛି|

ପାର୍ଟିକୁଲେଟ ମ୍ୟାଟର ଵା କଣିକା ତତ୍ତ୍ୱ ପ୍ରଦୂଷଣ ଏବେ ଓଡ଼ିଶାରେ ସାଙ୍ଘାତିକ ଅବସ୍ଥାରେ ପହଂଚିଛି| ଭୁବନେଶ୍ୱର, କଟକ, ଅନୁଗୁଳ , ତାଳଚେର, ରାଉରକେଲା ଓ ବାଲେଶ୍ୱର ଆଦି ସହରରେ ଅବସ୍ଥା ଏବେ ଚିନ୍ତାଜନକ | ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ) ଅନୁସାରେ ଓଡ଼ିଶାରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଲା କଳ କାରଖାନାରୁ ବାହାରୁଥିବା ଧୂଆଁ, ଯାନବାହାନ ଜନିତ ପ୍ରଦୁଷଣ ଏବଂ ନିର୍ମାଣ ଓ ଭଙ୍ଗାଭଙ୍ଗି ସମୟରେ ହେଉଥିବା ପ୍ରଦୂଷଣ|ଓଡ଼ିଶାରେ କଣିକା ତତ୍ତ୍ୱ ପ୍ରଦୂଷଣକୁ ପାଇଁ ୨୦୧୮ ମସିହାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଓଡିଶା ଷ୍ଟାର ରେଟିଙ୍ଗ ନାମରେ ଏକ ତଥ୍ୟ ସାର୍ଵଜନୀକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା| ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ହେଉଥିବା ପ୍ରଦୂଷଣ ରୋକିବା ଓ ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ବୃଦ୍ଧି କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ| ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ବିଶେଷଜ୍ଞମାନଙ୍କ ସହାୟତାରେ ପ୍ରସ୍ତୁତ ହେଇଥିବା ଓଡିଶା ଷ୍ଟାର ରେଟିଙ୍ଗ ଅଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନମାନଙ୍କର ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ କରି ସେମାନଙ୍କ ପରିବେଶ ପାରଦର୍ଶିତା ବୃଦ୍ଧି ସହ ଏହି ସମ୍ପର୍କରେ ଜନସାଧାରଣଙ୍କର ସଚେତନତା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି|

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତର ପ୍ରକାରର ଶିଳ୍ପାନୁଷ୍ଠାନକୁ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଭାବେ ଚିହ୍ନଟ କରିଛି| ସେମାନଙ୍କ ଭିତରୁ ଓଡ଼ିଶାରେ ସିମେଣ୍ଟ, ତାପଜ ବିଦ୍ୟୁତ କେନ୍ଦ୍ର, ଇସ୍ପାତ, କାଗଜ଼ କଳ, ସ୍ପଞ୍ଜ ଆଇରନ, ସାର କାରଖାନା ଓ ଆଲୁମିନିୟମ ଏବଂ ସ୍ମେଲଟର ଆଦି ଶିଳ୍ପାନୁଷ୍ଠାନ ରହିଛି| ଏହି ଶିଳ୍ପାନୁଷ୍ଠାନ ଗୁଡ଼ିକରୁ କ୍ଷତିକାରକ ପାର୍ଟିକୁଲେଟ ମ୍ୟାଟର ବା କଣିକାତତ୍ତ୍ୱ, ସଲଫର ଡାଇଅକ୍ସସାଇଡ଼, ନାଇଟ୍ରସ ଅକ୍ସାଇଡ୍ ,କାର୍ବନ ମନୋକସାଇଡ଼ ଏବଂ ମରକ୍ୟୁରୀ ନିର୍ଗତ ହୋଇଥାଏ| ଓଡ଼ିଶାରେ ଏହି ସବୁ କ୍ଷେତ୍ରର ଶିଳ୍ପାନୁଷ୍ଠାନମାନଙ୍କ ସଂଖ୍ୟା ୧୨୦ରୁ ଅଧିକ| ଏହି ଶିଳ୍ପାନୁଷ୍ଠାନ ଗୁଡିକରେ Continuous Emissions Monitoring Systems (ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା) ସ୍ଥାପିତ କରାଯାଇଛି ଓ ଏହାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସର୍ଭର ସହିତ ସଂଯୁକ୍ତ କରାଯାଇଛି | ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା, ନିରନ୍ତର ଭାବେ ଶିଳ୍ପାନୁଷ୍ଠାନର ତଥ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସର୍ଭରକୁ ପଠାଇଥାଏ | ଏହି ସର୍ଭରରେ ଉପଲବ୍ଧ ପ୍ରଦୂଷଣ ତଥ୍ୟ ଆଧାରରେ ଶିଳ୍ପାନୁଷ୍ଠାନମାନଙ୍କୁ ଏକ ରୁ ପାଞ୍ଚ ପର୍ଯ୍ୟନ୍ତ ଷ୍ଟାର ପ୍ରଦାନ କରା ଯାଇଥାଏ|
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପାନୁଷ୍ଠାନମାନଙ୍କୁ ସେମାନଙ୍କ ପ୍ରଦୂଷଣ ସମ୍ପର୍କିତ ତଥ୍ୟ ଯୋଗାଇ ଦିଆଯିବା ଦ୍ୱାରା ସେମାନେ ଉନ୍ନତ ଯନ୍ତ୍ରପାତି ବ୍ୟବହାର କରି କିମ୍ବା ନିଜର ନିର୍ଗମନ ନିୟନ୍ତ୍ରଣ ଯନ୍ତ୍ରପାତିରେ ପରିବର୍ତ୍ତନ ଆଣି ନିର୍ଗମନର ମାତ୍ରା କମେଇବା ଦିଗରେ ପଦକ୍ଷେପ ନେବେ| ଯେଉଁ ଶିଳ୍ପାନୁଷ୍ଠାନମାନେ କମ ମାତ୍ରାରେ ପ୍ରଦୂଷଣ କରୁଥିବେ ସେମାନଙ୍କୁ ସ୍ୱୀକୃତି ଦେଇ ପ୍ରଦୂଷଣର ମାତ୍ରାକୁ ଆହୁରି କମ କରିବା ଦିଗରେ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ| ଏହାଛଡା ଜନସାଧାରଣଙ୍କୁ ଶିଳ୍ପାନୁଷ୍ଠାନମାନଙ୍କର ନିର୍ଗମନ ବିଷୟରେ ଜଣାଇ ଶିଳ୍ପାନୁଷ୍ଠାନ ଥିବା ଅଞ୍ଚଳମାନଙ୍କରେ ଜନସଚେତନତା ସୃଷ୍ଟି ଓ ପ୍ରଦୂଷଣ କମ କରିବା ପାଇଁ ଶିଳ୍ପ ଉପରେ ସ୍ଥାନୀୟ ଅଧିବାସୀଙ୍କ ଚାପ ସୃଷ୍ଟି କରିବାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସହାୟକ ହେବ । ବାୟୁ ପ୍ରଦୂଷଣ ରୋକିବା ପାଇଁ ଏଭଳି ଏକ ତଥ୍ୟ ସାର୍ଵଜନୀକରଣ କାର୍ଯ୍ୟକ୍ରମ ହାତକୁ ନେବା ଦିଗରେ ଓଡିଶା ହେଉଛି ଭାରତର ପ୍ରଥମ ରାଜ୍ୟ| ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା ପାଇଁ ଶିଳ୍ପାନୁଷ୍ଠାନମାନଙ୍କର ପରିଦର୍ଶନ ଏବଂ ନିର୍ଗମନ ଯାଞ୍ଚ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ବିଭିନ୍ନ ଅଭିଯାନ ଚଳାଇଛି|

Leave a Reply

Your email address will not be published. Required fields are marked *