ଟି-୨୦ ରେ ଧୋନିଙ୍କ ଆଉ ଏକ ରେକର୍ଡ

ଇଂଲଣ୍ଡ,୦୪/୦୭ (ଗ୍ରାଉଣ୍ଡଜିରୋ ଲାଇଭ) : ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦କୁ ୮ ୱିକେଟରେ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଟିମ ଇଂଣ୍ଡିଆ । ଆୟରଲ୍ୟାଣ୍ଡ ଠାରୁ ଟି-୨୦ ସିରିଜ ଜିତିବା ପରେ ଇଂଲଣ୍ଡରେ ମଧ୍ୟ ଦମଦାର ପ୍ରଦର୍ଶନ ଜାରିରଖିଛି ବିରାଟ ବାହିନୀ । ଏଇ ସିରିଜ ଇଂଲଣ୍ଡ ପାଇଁ ସହଜ ହେବନି ବୋଲି ପ୍ରଥମ ଟି-୨୦ରେ ହିଁ ଜଣାଇ ଦେଇଛି ଟିମ ଇଂଣ୍ଡିଆ । ମଞ୍ଚେଷ୍ଟର ଠାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ରେ କୁଲଦୀପଙ୍କ କମାଲ ଓ କେ.ଏଲ. ରାହୁଙ୍କ ଧମାଲ ହିଁ ଦେଖିବାକୁ ମିଳିଥିଲା । କିନ୍ତୁ ମିଷ୍ଟର କୁଲ ମହେନ୍ଦ୍ର ସିଂ ଧୋନି ତାଙ୍କ କୁଲ ଅନ୍ଦାଜରେ ଆଉ ଏକ ରେକର୍ଡ ହାସଲ କରିନେଇଛନ୍ତି । ଏହି ମ୍ୟାଚରେ ଧୋନି କୁଲଦୀପଙ୍କ ଓଭରରେ ଦୁଇଟି ଷ୍ଟମ୍ପିଂ କରିଥିଲେ । ଏଥିସହିତ ସେ ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ଷ୍ଟମ୍ପିଂ କରିଥିବା କ୍ରିକେଟର ହୋଇଯାଇଛନ୍ତି । ତାଙ୍କ ନାମରେ ଏବେ ୩୩ଟି ଷ୍ଟମ୍ପିଂର ରେକର୍ଡ ହୋଇସାରିଛି । ଏହା ପୂର୍ବରୁ ଏହି ରେକର୍ଡ ପାକିସ୍ତାନର କମରାନ ଆକମଲଙ୍କ ନାମରେ ଥିଲା । ସେ ୩୨ଟି ଷ୍ଟମ୍ପିଂ କରି ଏବେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ମହେନ୍ଦ୍ର ସିଂ ଧୋନି ୯୧ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚରେ ଏହି ରେକର୍ଡ ହାସିଲ କରିଛନ୍ତି । ଟି-୨୦ ଅନ୍ତରାଷ୍ଟ୍ରୀୟରେ ୩୩ ଷ୍ଟମ୍ପିଂ ଓ ୪୯ଟି କ୍ୟାଚ ସହ ମୋଟ ୮୨ ଜଣ ବ୍ୟାଟ୍ସମ୍ୟାନଙ୍କ ଶିକାର କରିସାରିଲେଣି ଧୋନି । ଏହି ତାଲିକାରେ ୨୮ ଷ୍ଟମ୍ପିଂ ସହିତ ମହମ୍ମଦ ସେହଜାଦ ତୃତୀୟ , ୨୬ ଷ୍ଟମ୍ପିଂ ସହିତ ମୁସଫିଜୁର ରହିମ ଚତୁର୍ଥ ଓ ୨୦ ଷ୍ଟମ୍ପିଂ ସହିତ କୁମାର ସାଙ୍ଗାକାରା ପଞ୍ଚମ ସ୍ଥାନରେ ଅଛନ୍ତି ।
ଅନ୍ତରାଷ୍ଟ୍ରୀୟ କ୍ରିକେଟର ସବୁ ଫର୍ମାଟ(ଦିନିକିଆ,ଟେଷ୍ଟ ଓ ଟି-୨୦)ରେ ଧୋନି ତୃତୀୟ ସ୍ଥାନରେ ଅଛନ୍ତି । ସବୁ ଫର୍ମାଟକୁ ମିଶାଇ ଧୋନି ମୋଟ ୭୭୮ଟି ଶିକାର କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ସର୍ବାଧିକ ୯୯୮ଟି ଶିକାର ସହିତ ପ୍ରଥମ ସ୍ଥାନରେ ଅଛନ୍ତି । ଆଡାମ ଗୀଲକ୍ରିଷ୍ଟ ୯୦୫ଟି ଶିକାର ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । 

Leave a Reply

Your email address will not be published. Required fields are marked *