କଟକର ଐତିହାସିକ ବାଲିଯାତ୍ରା ଆଜିଠୁ ଆରମ୍ଭ

କଟକ,୨୩/୧୧(ଗ୍ରାଉଣ୍ଡଜିରୋ ଲାଇଭ) : 
କଟକର ଐତିହାସିକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । ପୂର୍ବରୁ ୭ଦିନ ଧରି ହେଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଚଳ୍ତ ବର୍ଷ ହକି ବିଶ୍ୱକପ୍‌ ପାଇଁ ୧୦ଦିନ ଧରି ଚାଲିବ । କଟକ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଓ ସିଏମ୍‌ସି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଅପରାହ୍ନ ୫ଟାରେ ବାଲିଯାତ୍ରା ପଡ଼ିଆରେ ଏହାର ଉଦ୍‌ଘାଟନ କାର୍ଯ୍ୟକ୍ରମ ରଖାଯାଇଛି ।
ସୂଚନାନୁସାରେ, ୧୦୮୨ଟି ପ୍ଲଟ୍‌ରେ ବିଭିନ୍ନ ଷ୍ଟଲ୍‌ ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, ଗାନ୍ଧି ଶିଳ୍ପ ବଜାର, ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ଭିନ୍ନକ୍ଷମ ଓ କିନ୍ନରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡିକର ସ୍ବତନ୍ତ୍ର ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି । ଷ୍ଟଲ୍‌ଗୁଡିକରେ ବିଭିନ୍ନ ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ଘରକରଣା, ହାତ ତିଆରି, ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ସହ ବଜାରକୁ ଆସୁଥିବା ନୂଆ ଉତ୍ପାଦ ମିଳିବ । ତେବେ ଗଣକବି ବୈଷ୍ଣବ ପାଣି ମଞ୍ଚ ଏଥର ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ସାଜିବ । ଦେଶ ବିଦେଶରୁ ଆସିଥିବା କଳାକାରମାନେ ଏହି ମଞ୍ଚରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବେ । ଇଣ୍ଡୋନେସିଆର କଳିଙ୍ଗ ଇଣ୍ଟରନ୍ୟାଶନାଲ ୟୁଥ୍‌ ଫାଉଣ୍ଡେଶନର କଳାକାରମାନେ ସାଧବପୁଅଙ୍କ ବେପାର ବଣିଜକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ । ହକି ବିଶ୍ୱକପକୁ ନଜରରେ ରଖି ଚଳିତ ବର୍ଷ ବାଲିଯାତ୍ରା ବୁଲାକୁ ଅଧିକ ସଫଳ ତଥା ସୁରକ୍ଷିତ କରିବା ପାଇଁ ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *