ପୁଣି ଧୋନୀ ବାହିନୀଙ୍କ ଜଲଓ୍ବା

ହାଇଦ୍ରାବାଦ, ୨୨।୪(ଗ୍ରାଉଣ୍ଡଜିରୋ ଲାଇଭ): ଚଳିତ ଆଇପିଏଲ୍‌ରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପ୍ରତିଯୋଗିତାର ୨୦ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ରୋମାଞ୍ଚକ ଭାବେ ୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସୁପର କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍‌ର ଏକ କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରିଥିବା କେନ୍‌ ଓ୍ବିଲିୟମସନଙ୍କ ହାଇଦ୍ରାବାଦ ଦଳ ୬ ଓ୍ବିକେଟ୍ ହରାଇ ୧୭୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଚଳିତ ସିଜିନରେ ୫ମ ମ୍ୟାଚ୍‌ରୁ ଚେନ୍ନାଇର ଏହା ୪ର୍ଥ ବିଜୟ ଥିଲା। ଏହି ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ୮ ପଏଣ୍ଟ ପାଇ ଟେବୁଲ ତାଲିକାର ସର୍ବାଗ୍ରେ ରହିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ୭.୧ ଓଭରରେ ୩୨ ରନ୍‌ରେ ୨ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ପୂର୍ବ ମ୍ୟାଚ୍‌ର ଶତକ ହାସଲକାରୀ ସେନ୍‌ ଓ୍ବାଟସନ (୯ ରନ୍‌) ଓ ନିର୍ଭରଯୋଗ୍ୟ ଫାଫ୍‌ ଡୁ ପ୍ଲେସି (୧୧ରନ୍‌) ଶସ୍ତାରେ ଆଉଟ୍‌ ହୋଇଥିଲେ। ତେବେ ଏହାପରେ ସୁରେଶ ରାଇନା ଓ ଅମ୍ବାତି ରାୟିଡୁ ୩ୟ ଓ୍ବିକେଟରେ ଦମ୍‌ଦାର ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୧୦୦ ରନ୍‌ ଅତିକ୍ରମ କରାଇଥିଲେ। ୧୬.୪ ଓଭରରେ ଦଳୀୟ ସ୍କୋର ୧୪୪ ରନ୍‌ ହୋଇଥିବାବେଳେ କ୍ରିଜ୍‌ରେ ଜମି ଆସିଥିବା ରାୟିଡୁ ଆଉଟ୍‌ ହୋଇଥିଲେ। ସେ ୩୭ଟି ବଲରୁ ୯ଟି ଚୌକା ଓ ୪ଟି ଛକା ସହ ୭୯ ରନ୍‌ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ୩ୟ ଓ୍ବିକେଟରେ ସେ ରାଇନାଙ୍କ ସହ ୧୧୨ ରନ୍‌ର ଭାଗୀଦାରି କରିଥିଲେ। ଏହାପରେ କ୍ରିଜ୍‌କୁ ଆସିଥିବା ଧୋନୀ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଶେଷଭାଗରେ ସେ ୧୨ଟି ବଲରୁ ଦ୍ରୁତ ୨୫ ରନ୍‌ (୩ ଚୌକା, ୧ ଛକା) କରିବା ସହ ଦଳକୁ ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ୍ ବିନିମୟରେ ୧୮୨ ରନ୍‌ରେ ପହଞ୍ଚାଇଥିଲେ। ରାଇନା ୪୩ ବଲରୁ ୫ ଚୌକା ଓ ୩ ଛକା ସହ ୫୪ ରନ୍‌ କରି ଅପରାଜିତ ରହିଥିଲେ।

Leave a Reply

Your email address will not be published. Required fields are marked *