୫୦ ଜଣ ରୋଗୀଙ୍କ ମଧ୍ୟରୁ ୧୨ ଜଣ ସଂପୂର୍ଣ୍ଣ ସୁସ୍ଥ

ଭୁବନେଶ୍ବର,11 ଏପ୍ରିଲ:

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡତି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା

# ଓଡ଼ିଶା ରାଜ୍ୟରେ କୋଭିଡ୍‌-୧୯ ହସ୍‌ପିଟାଲ୍‌ର ସଂଖ୍ୟା ବୃଦ୍ଧି ଦିଗରେ ଜଗତସିଂହପୁରଠାରେ ଏକ ଉତ୍ସର୍ଗୀକୃତ କୋଭିଡ୍‌-୧୯ ହସପିଟାଲ୍‌ ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପାଳ, ଜଗତସିଂହପୁର, ସିଡିଏମ୍‌ଓ, ଜଗତସିଂହପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ହସ୍‌ପିଟାଲ୍‌ ଚଳିତ ମାସ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବ ।

# କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୫୦ ଜଣ ରୋଗୀଙ୍କ ମଧ୍ୟରୁ ୧୨ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

# ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ (ଆର୍‌ଏମ୍‌ଆର୍‌ସି)କୁ ଉଚ୍ଚଶକ୍ତିସଂପନ୍ନ କୋବାସ୍‌ ଯନ୍ତ୍ର ଆସିବା ଫଳରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି । ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ (ବ୍ରହ୍ମପୁର) ଓ ଆଇଜିଏଚ୍‌ (ରାଉରକେଲା) ମଧ୍ୟ କୋଭିଡ୍‌-୧୯ ପରୀକ୍ଷଣ କରିବେ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ଭାରତ ସରକାରଙ୍କ ବାୟୋଟେକ୍‌ନୋଲୋଜି ବିଭାଗରୁ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ପାଇଛି ଓ ଖୁବ୍‌ ଶୀଘ୍ର ଏହା ପରୀକ୍ଷଣ ଆରମ୍ଭ କରିବ ।

# ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ସାନିଟାଇଜର, ତିନିପ୍ରସ୍ତ ବିଶିଷ୍ଟ ସର୍ଜିକାଲ୍‌ ମାସ୍କ, ଏନ୍‌-୯୫ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣମାନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ।

# କୋଭିଡ୍‌-୧୯ ପ୍ରତିରୋଧ ନିମନ୍ତେ ନିୟୋଜିତ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ତାଲିମକୁ ଦୃଢ଼ୀଭୂତ କରାଯାଇଛି । ଏସ୍‌ସିବି (କଟକ)ର ୪୧୬ ଜଣ ଓ ଏମ୍‌କେସିଜି (ବ୍ରହ୍ମପୁର)ର ୭୨ ଜଣ ଅଧ୍ୟାପକ ତଥା କର୍ମଚାରୀଙ୍କୁ କୋଭିଡ୍‌-୧୯ କି୍ରଟିକାଲ୍‌ କେୟାର ତାଲିମ ଦିଆଯାଇଥିବାବେଳେ ଆୟୁଷ ନିର୍ଦ୍ଦେଶାଳୟର ପ୍ରାୟ ୧୬୦୦ ସ୍ୱାସ୍ଥ୍ୟାଧିକାରୀ ଓ କର୍ମଚାରୀ ଏହି ତାଲିମ ନେଇଛନ୍ତି । ରାଜ୍ୟର ୪ଟି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟାପକ ତଥା ତୃତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ ୯୦୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ଅନୁରୂପ ଭାବରେ ଅପ୍ରେଲ ୧୦ ତାରିଖ ସୁଦ୍ଧା ୧,୧୭,୨୭୯ ଜଣ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ କୋଭିଡ୍‌-୧୯ ସଂପର୍କିତ ମୌଳିକ ତାଲିମ ପ୍ରଦାନ କରାଯାଇଛି । କୋଭିଡ୍‌ ହସ୍‌ପିଟାଲ୍‌ଗୁଡ଼ିକରେ କାର୍ଯ୍ୟରତ ଚିକିତ୍ସାଧିକାରୀ ଏବଂ ନର୍ସମାନଙ୍କ ପାଇଁ ସ୍ୱତନ୍ତ୍ର ଜୁମ୍‌ ଟ୍ରେନିଂ ପ୍ରଦାନ କରାଯାଉଛି ।

#  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କାର ସହାୟତା ରାଶି ଘରକୁ ଘର ବଣ୍ଟନ କରାଯାଉଛି । ଏଥି ପାଇଁ କୌଣସି ଦରଖାସ୍ତ ଦେବା ଦରକାର ନାହିଁ ବୋଲି ରାଜ୍ୟ ଶ୍ରମ ଆୟୁକ୍ତ ସ୍ପଷ୍ଟ କରିଛନ୍ତି । ହିତାଧିକାରୀଙ୍କୁ କୌଣସି ଦଲାଲ ବା ମଧ୍ୟସ୍ତି ଶୋଷଣ କରୁଥିଲେସଂପୃକ୍ତ ବ୍ୟକ୍ତିଙ୍କ ବିରଦ୍ଧୁ ରେ ଥାନା ଓ ପ୍ରଶାସନଠାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

#କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସଂପୃକ୍ତ କରିବା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୧୯, ୨୦ ଓ ୨୧ ତାରିଖରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦର ସଦସ୍ୟମାନଙ୍କ ପାଇଁ ସଚେତନତା ସଭା କରାଯାଇଛି ।

# କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧,୬୨,୧୪୨ ଶଯ୍ୟାବିଶିଷ୍ଟ ମୋଟ ୬୯୩୯ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି ।

# ଗ୍ରାମ ପଞ୍ଚାୟତ ପାଣ୍ଠିରୁ କୋଭିଡ୍‌-୧୯ ସ୍ୱତନ୍ତ୍ର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତି ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ମୌଳିକ ସୁବିଧାସୁଯୋଗ ଏବଂ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବା ନିମନ୍ତେ ଯଥାକ୍ରମେ ୧୦ ଲକ୍ଷ ଟଙ୍କା ଏବଂ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

# ସମସ୍ତ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ପେନ୍‌ସନ୍‌, ରାସନ୍‌ ସାମଗ୍ରୀ ଓ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଛି ।

# ସାମାଜିକ ଦୂରତ୍ୱ ପାଳନ କରି ୬୯୯୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାର୍ଚ୍ଚ ୨୯ ତାରିଖରୁ ନିରନ୍ତର ଭାବରେ ରନ୍ଧାଖାଦ୍ୟ ପ୍ରସ୍ତୁତିରେ ନିୟୋଜିତ ହୋଇ ଅପ୍ରେଲ୍‌ ୧୦ ତାରିଖ ସୁଦ୍ଧା ୩୫,୦୮,୦୯୬ ଜଣଙ୍କୁ ବିନାମୂଲ୍ୟରେ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି ।

# ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୩୨ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫ୍ରି ନଂ- ୧୮୦୦୩୪୫୬୭୦୩ ଜାରି କରାଯାଇଛି ।

# ଆଜି ରାଜ୍ୟର ୫୪୩୩ ଗ୍ରାମ ପଞ୍ଚାୟତରେ ୩,୩୫,୬୬୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ଟି ପୌରାଞ୍ଚଳରେ ୩୩,୬୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

# ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୦ରୁ ଅପ୍ରେଲ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୭୦ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୬୩ଟି ମାମଲା ଲକ୍‌ ଡାଉନ୍‌ ସଂପକର୍ତି ହୋଇଥିବାବେଳେ ୪ଟି ଗୁଜବ ସୃଷ୍ଟି ପାଇଁ ଓ ୩ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ । ବିଭିନ୍ନ ଅଭିଯୋଗରେ ୧୦୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

# ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୭ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି । 

# ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୩୫୪୭ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

# ଗତକାଲି ରାତିରେ ଚିହ୍ନଟ ହୋଇଥିବା ୨ ଜଣ କୋଭିଡ୍‌ ଆକ୍ରାନ୍ତ(୪୯ ଓ ୫୦ ନମ୍ବର) ପୂର୍ବରୁ ମଧୁସୂଦନ ନଗର, ୟୁନିଟ-୪ ରୁ ଚିହ୍ନଟ ହୋଇଥିବା ରୋଗୀଙ୍କର ନିକଟ ସଂସ୍ପର୍ଶରେ ଆସିଥିଲେ ।

# ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଚିକିତ୍ସିତ ହେଉଛନ୍ତି ।

# ଆଜି ୧୩୩ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

 

Leave a Reply

Your email address will not be published. Required fields are marked *