କାଳିଆ ଯୋଜନା ସ୍କାମ ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ

ଭୁବନେଶ୍ବର, 19 ସେପ୍ଟେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ) :

ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା । ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରୁଛି ଶାସକ ବିଜେଡି । ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ବଂଟନ କରି ପରେ ସେମାନଙ୍କୁ ଜେଲ୍ ପଠାଇବା ଭଳି ଏବେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଟଙ୍କା ଆଦାୟ କରିବା ପାଇଁ ଉଦ୍ୟମ କରୁଛି । ଯୋଗ୍ୟ ଚାଷୀ ପରିବାର ବି ଆଶଙ୍କା ଭିତରେ ରହିଛି କାଳେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ଅର୍ଥ ଆଦାୟ କରାଯିବ ନଚେତ୍ ଜେଲ୍ ପଠାଯିବ । ଖୋଦ୍ ବିଭାଗୀୟ ମନ୍ତ୍ରୀ ଏହି ଯୋଜନାରେ ଦୁର୍ନୀତି ହୋଇଛି ବୋଲି ସ୍ୱୀକାର କରିବା ପରେ ଦଳର ମୁଖପାତ୍ର ଏହାକୁ ନେଇ ଭିନ୍ନ ମତ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, “ଯୋଗ୍ୟକୁ ନଦେବା ଅଯୋଗ୍ୟକୁ ଅଯାଚିତ ଭାବରେ ଦେବା” ର ଅନ୍ୟନାମ ହେଉଛି ଓଡିଶା ସରକାରଙ୍କ କାଳିଆ ଯୋଜନା । କାଳିଆ ଯୋଜନା ହେଉଛି ଧୁଆଁବାଣ । ଏହି ଯୋଜନାରେ ହୋଇଥିବା ମହାଘୋଟାଲାର ପର୍ଦ୍ଦାଫାଶ ହେବା ଦରକାର । କାଳିଆ ଯୋଜନାରେ ହିତାଧିକାରୀ ତାଲିକାର ତଦନ୍ତ ଏକ ନିରପେକ୍ଷ ଯାଂଚ ଏଜେନ୍ସୀ ଦ୍ୱାରା କରିବା ସହ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରି ରାଜ୍ୟ ରାଜକୋଷରୁ ୧୭୦ କୋଟି ଟଙ୍କା ଅପବ୍ୟୟ କରିଥିବା ବିଭାଗୀୟ ମନ୍ତ୍ରୀ ଓ ସରକାରୀ ଅଫିସରମାନଙ୍କ ସମେତ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଆକାଉଂଟରୁ ବଳକା ଅର୍ଥ ଆଦାୟ କରାଯାଉ ।

Leave a Reply

Your email address will not be published. Required fields are marked *