ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିକୁ କ୍ୟାବିନେଟ ମଞ୍ଜୁରି

ନିଉଦିଲ୍ଲୀ,04 ମାର୍ଚ୍ଚ (ଗ୍ରାଉଣ୍ଡ ଜିରୋ ଲାଇଭ):

ମେସର୍ସ ଏୟାର ଇଣ୍ଡିଆ ଲିମିଟେଡ କ୍ଷେତ୍ରରେ ବର୍ତମାନର ଏଫଡିଆଇ ନୀତିରେ ସଂଶୋଧନ ଆଣିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଫଳରେ ଭାରତୀୟ ନାଗରିକ ହୋଇଥିବା ପ୍ରବାସୀ ଭାରତୀୟ (ଏନଆରଆଇ)ମାନଙ୍କୁ ସ୍ୱୟଂଚାଳିତ ମାର୍ଗରେ ଶତପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜିନିବେଶ ଲାଗି ଅନୁମତି ମିଳିପାରିବ ।
ବର୍ତମାନର ଏଫଡିଆଇ ନୀତି ଅନୁଯାୟୀ, ଅନୁସୂଚିତ ବିମାନ ପରିବହନ ସେବା/ଘରୋଇ ଅନୁସୂଚିତ ବିମାନ ପରିବହନ ସେବାରେ ସ୍ୱୟଂଚାଳିତ ମାର୍ଗରେ ଶତପ୍ରତିଶତ ଏଫଡିଆଇ ସୁବିଧା ରହିଛି । ମାତ୍ର ଏହି ନିୟମ ଅନୁଯାୟୀ, ୪୯ ପ୍ରତିଶତ ପର୍ଯ୍ୟନ୍ତ ସ୍ୱୟଂଚାଳିତ ଏବଂ ବାକି ୪୯ ପ୍ରତିଶତରୁ ଅଧିକ ସରକାରଙ୍କ ଜରିଆରେ ପୁଞ୍ଜିନିବେଶ କରାଯାଇପାରିବ । ତେବେ ବର୍ତମାନର ନିୟମରେ କେବଳ ଏନଆରଆଇମାନେ ଅନୁସୂଚିତ ବିମାନ ପରିବହନ ସେବା/ଘରୋଇ ଅନୁସୂଚିତ ବିମାନ ପରିବହନ ସେବାରେ ସ୍ୱୟଂଚାଳିତ ମାର୍ଗରେ ଶତପ୍ରତିଶତ ପୁଞ୍ଜିନିବେଶ କରିପାରିବେ । କିନ୍ତୁ ବିମାନ ନିୟମ ୧୯୩୭ ଅନୁଯାୟୀ ପର୍ଯ୍ୟାପ୍ତ ମାଲିକାନା ଏବଂ ପ୍ରଭାବୀ ନିୟନ୍ତ୍ରଣ (ଏସଓଇସି) ଭାରତୀୟ ନାଗରିକଙ୍କ ପାଖରେ ରହିବ ।
ଅନ୍ୟପକ୍ଷରେ ମେସର୍ସ ଏୟାର ଇଣ୍ଡିଆ ଲିମିଟେଡ କ୍ଷେତ୍ରରେ ବର୍ତମାନର ନୀତି ଅନୁଯାୟୀ, ଏଥିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ୪୯ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ ପାଇଁ ବିଦେଶୀ ବିମାନ ଚଳାଚଳ ସଂସ୍ଥା କିମ୍ବା କାହାରିକୁ ଅନୁମତି ମିଳିପାରିବ ନାହିଁ । ସର୍ତ ଅନୁଯାୟୀ, ମେସର୍ସ ଏୟାର ଇଣ୍ଡିଆ ଲିମିଟେଡରେ ପର୍ଯ୍ୟାପ୍ତ ମାଲିକାନା ଏବଂ ପ୍ରଭାବୀ ନିୟନ୍ତ୍ରଣ ଭାରତୀୟ ନାଗରିକଙ୍କ ନିକଟରେ ରହିବ । ଏହି କାରଣରୁ ଅନୁସୂଚିତ ବିମାନ ପରିବହନ ସେବା/ଘରୋଇ ଅନୁସୂଚିତ ବିମାନ ପରିବହନ ସେବାରେ ଏନଆରଇଙ୍କ ପାଇଁ ସ୍ୱୟଂଚାଳିତ ମାର୍ଗରେ ଶତପ୍ରତିଶତ ଏଫଡିଆଇ ଲାଗି ଅନୁମତି ଥିଲେ ହେଁ ମେସର୍ସ ଏୟାର ଇଣ୍ଡିଆ ଲିମିଟେଡ କ୍ଷେତ୍ରରେ ଏହା ମାତ୍ର ୪୯ ପ୍ରତିଶତ ମଧ୍ୟରେ ସୀମିତ ରହିଛି ।
ଲାଭ :
ଭାରତ ସରକାରଙ୍କ ଦ୍ୱାରା ମେସର୍ସ ଏୟାର ଇଣ୍ଡିଆ ଲିଃର ୧୦୦ ପ୍ରତିଶତ ପ୍ରସ୍ତାବିତ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ସନ୍ଦର୍ଭରେ ମେସର୍ସ ଏୟାର ଇଣ୍ଡିଆ ଲିମିଟେଡରେ ସରକାରଙ୍କ କୌଣସି ଅବଶିଷ୍ଟ ଭାଗିଦାରୀ ରହିବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଘରୋଇ ମାଲିକାନାରେ ରହିବ । ସେଥିପାଇଁ ଏହି ନିଷ୍ପତି ନିଆଯାଇଛି ଯେ ମେସର୍ସ ଏୟାର ଇଣ୍ଡିଆ ଲିମିଟେଡରେ ବିଦେଶୀ ପୁଞ୍ଜିନିବେଶ ଜରିଆରେ ଏହାକୁ ଅନ୍ୟ ଅନୁସୂଚିତ ବିମାନ ଚଳାଚଳ କମ୍ପାନୀ ଶ୍ରେଣୀରେ ସାମିଲ କରାଯିବ ।
ଏଫଡିଆଇ ନୀତିରେ ଏହି ସଂଶୋଧନ ଫଳରେ ଅନ୍ୟ ଅନୁସୂଚିତ ବିମାନ ଚଳାଚଳ କମ୍ପାନୀ ଭଳି ମେସର୍ସ ଏୟାର ଇଣ୍ଡିଆ ଲିମିଟେଡରେ ବିଦେଶୀ ପୁଞ୍ଜିନିବେଶ ଲାଗି ଅନୁମତି ମିଳିପାରିବ । ଯାହାଫଳରେ ଭାରତୀୟ ନାଗରିକ ହୋଇଥିବା ଏନଆରଆଇମାନେ ଏଥିରେ ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶ କରିପାରିବେ । ଏଫଡିଆଇ ନୀତିରେ ପ୍ରସ୍ତାବିତ ସଂଶୋଧନ ଏନଆରଆଇମାନଙ୍କୁ ସ୍ୱୟଂଚାଳିତ ମାର୍ଗରେ ମେସର୍ସ ଏୟାର ଇଣ୍ଡିଆ ଲିମିଟେଡରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜିନିବେଶ ଲାଗି ସକ୍ଷମ କରିବ । ବ୍ୟବସାୟିକ ସୁଗମତା ଉପଲବ୍ଧ କରାଇବା ଲାଗି ଏଫଡିଆଇ ନୀତିକୁ ଉଦାର ଓ ସରଳ କରିବା ଉଦ୍ଦେଶ୍ୟରେ ଏହି ନୀତିଗତ ସଂଶୋଧନ କରାଯାଇଛି । ଏହା ଜରିଆରେ ସବୁଠୁ ଅଧିକ ଏଫଡିଆଇ ମାର୍ଗ ପ୍ରଶସ୍ତ ହେବ, ଫଳରେ ନିବେଶ, ଆୟ ଏବଂ ନିଯୁକ୍ତି ବୃଦ୍ଧିରେ ସହାୟତା ମିଳିପାରିବ ।

Leave a Reply

Your email address will not be published. Required fields are marked *