ବିଜେପି ପକ୍ଷରୁ ନୂତନ ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ

ବାଲେଶ୍ୱର,୨୯/୦୬ (ଗ୍ରାଉଣ୍ଡ ଜିରୋ ଲାଇଭ):

ବିଜେପିର ସଦସ୍ୟତା ଅଭିଯାନକୁ ଠିକ ଭାବେ କ୍ରିୟାନ୍ୱିତ କରିବା ପାଇଁ ସ୍ଥାନୀୟ ଭେନିୟା ପାରାଡ଼ାଇଜ କଲ୍ୟାଣ ମଣ୍ଡପ ଠାରେ ବିଜେପି ଜିଲ୍ଲା ସଭାପତି ତଥା ସଦର ବିଧାୟକ ଶ୍ରୀଯୁକ୍ତ ମଦନ ମୋହନ ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ୩ ବର୍ଷରେ ଥରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ହୋଇଥାଏ । ଆଜି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁସାଙ୍ଗିକ ଭାବେ ଉକ୍ତ ବୈଠକକୁ ଆରମ୍ଭ କରିଥିଲେ । ଏହି ସଦସ୍ୟତା ଅଭିଯାନ ଆସନ୍ତା ଜୁଲାଇ ୬ ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ ବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ଜିଲ୍ଲା ଉପ ସଭାପତି ଶ୍ରୀ ପର୍ଶୁରାମ ବେହେରାଙ୍କୁ ଜିଲ୍ଲାର ସଦସ୍ୟତା ଅଭିଯାନର ପ୍ରମୁଖ ଭାବେ ମନୋନୀତ କରାଯାଇଥିବା ବେଳେ ଶ୍ରୀ ନଳିନୀ ମହାପାତ୍ରଙ୍କୁ ସଦସ୍ୟତା ଅଭିଯାନର ସହ ପ୍ରମୁଖ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଅଛି । ଜିଲ୍ଲାରେ ଗତ ସଦସ୍ୟତା ଅଭିଯାନରେ ଯେତେ ସଂଖ୍ୟକ ସଦସ୍ୟ ଯୋଡି ହୋଇଥିଲେ ଏଥର ତାଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ସଦସ୍ୟ କରାଯିବ ବୋଲି ନୂତନ ସଦସ୍ୟତା ଅଭିଯାନ ପ୍ରମୁଖ ଶ୍ରୀ ପର୍ଶୁରାମ ବେହେରା ସୂଚନା ଦେଇଥିଲେ । ଯେକୌଣସି ଲୋକ ନିଜ ମୋବାଇଲ ଫୋନରୁ ଟୋଲ ଫ୍ରି ନମ୍ବର ୮୯୮୦୮୦୮୦୮୦ (୮୯୮୦୮୦୮୦୮୦) କଲ କରି ସଦସ୍ୟ ହୋଇପାରିବେ । ଯେଉଁମାନଙ୍କର ମୋବାଇଲ ସେବା ଉପଲବ୍ଧ ନାହିଁ ସେମାନେ ବ୍ୟକ୍ତିଗତ ଭାବେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟ ହୋଇପାରିବେ । ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ସଫଳ ରୂପାୟନ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ବୁଥ ସ୍ତରରେ ଦାୟିତ୍ୱ ଦିଆଯାଇଅଛି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଦସ୍ୟତା ଅଭିଯାନର ସହ ପ୍ରଭାରୀ ଶାରଦା ଶତପଥୀ, ନିଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମହାନ୍ତି, ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପ ସଭାପତି ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *