ଏସିଆ କପ: ପ୍ରଥମ ମ୍ୟାଚରେ ବାଂଲାଦେଶର ବଡ ବିଜୟ

ୟୁଏଇ,୧୬/୦୯(ଗ୍ରାଉଣ୍ଡଜିରୋ ଲାଇଭ): 
ଜି ଏସିଆ କପର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା, ବାଂଲାଦେଶକୁ ଭେଟିଥିଲା। ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରିଛି ବାଂଲାଦେଶ । ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁସଫିକୁର ରହିମଙ୍କ ୧୪୪ ରନ, ମିଥୁନଙ୍କ ୬୩ ଓ ତମିମ ଇକୱାଲଙ୍କ ଡେଡିକେସନ ସହାୟତାରେ ବାଂଲାଦେଶ ୪୯.୩ ଓଭରରେ ୨୬୧ ରନ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ବହୁତ ଦିନ ପରେ ଦଳକୁ ଫେରିଥିବା ଲାସିଥ ମାଲିଙ୍ଗା ଦମଦାର ବୋଲିଂ କରିଥିଲେ । ମାଲିଙ୍ଗା ୧୦ ଓଭରରେ ୨ ଓଭର ମେଡେନ ନେବା ସହ ମାତ୍ର ୨୩ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ସିଲଭାଙ୍କୁ ୨ଟି ୱିକେଟ ମିଳିଥିବା ବେଳେ ଲାକମଲ,ଆପନସୋ ଓ ପେରେରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
୨୬୨ ରନର ଲକ୍ଷ୍ୟ ହାସଲ କରିବା ପାଇଁ ପଡିଆକୁ ଆକ୍ରମଣାତ୍ମକ ରୂପରେ ପାଳି ଆରମ୍ଭ କରିଥିଲେ ଶ୍ରୀଲଙ୍କାର ଉପୁଲ ଥରଙ୍ଗା । କିନ୍ତୁ ଦ୍ୱିତୀୟ ଓଭରରେ ହିଁ ଶ୍ରୀଲଙ୍କାର ନଜରିଆ ବଦଳି ଯାଇଥିଲା । ନିୟମିତ ବ୍ୟବଧାନରେ ଶ୍ରୀଲଙ୍କା ୱିକେଟ ହରାଇଥିଲା । ଦିଲରୁୱାନ ପେରେରା ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ ୨୯ ରନ କରିଥିବା ବେଳେ ଥରଙ୍ଗା ୨୭ ଓ ଲାକମଲ ୨୦ ରନ କରିଥିଲେ । ଶ୍ରୀଲଙ୍କାର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨୦ ରନ ଛୁଇଁ ନଥିବା ବେଳେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଆଙ୍କ ଛୁଇଁ ପାରି ନଥିଲେ । ଫଳରେ ଦଳ ୩୫.୨ ଓଭରରେ ମାତ୍ର ୧୨୪ ରନ କରି ଅଲଆଉଟ ହୋଇଯାଇଥିଲା । ବାଂଲାଦେଶ ପକ୍ଷରୁ ମୋର୍ତାଜା, ମମୁସ୍ତାଫିଜୁର ଓ ଏମ ହସନ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ସାକିବ, ରୁବେଲ ଓ ମୋସାଧେକ ହୋସେନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଏହା ହେଉଛି ବାଂଲାଦେଶ ବିପକ୍ଷରେ ଦିନିକିଆରେ ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର । ମ୍ୟାଚରେ ବାଂଲାଦେଶ ପକ୍ଷରୁ ଦମଦାର ଶତକ(୧୪୪ ରନ,୧୫୦ ବଲ) ହାସଲ କରିଥବା ମୁସଫିକର ରହିମ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । 

Leave a Reply

Your email address will not be published. Required fields are marked *