କଳାକାରଙ୍କୁ ମିଳିବ ୪ ମାସର ଆଗୁଆ ଭତ୍ତା

ଭୁବନେଶ୍ୱର,08 ଏପ୍ରିଲ :

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଏପରି ୪ ମାସର ପେନ୍‌ସନ୍‌ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ ୩୪ ହଜାର ୪୦୦ ଟଙ୍କାର ଆବଣ୍ଟନ ପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି । ସଂପ୍ରତି ଦେଖା ଦେଇଥିବା ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣଜନିତ ଭୟାବହତାକୁ ନେଇ ଦେଶରେ ଲକ୍‌ ଡାଉନ୍‌ ଅବସ୍ଥା ସୃଷ୍ଟି ହୋଇଥିବାରୁ ଦୁସ୍ଥ କଳାକାରମାନଙ୍କୁ ସହାୟତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପେନ୍‌ସନ୍‌ ବାବଦରେ ମାସକୁ ୧୨୦୦ ଟଙ୍କା ହିସାବରେ ଚାରି ମାସପାଇଁ ୪୮୦୦ ଟଙ୍କା ଏକକାଳୀନ ଚଳିତ ମାସ ୧୫ ତାରିଖ ମଧ୍ୟରେ ସଂପୃକ୍ତ କଳାକାରମାନଙ୍କ ବ୍ୟାଙ୍କ ଜମାଖାତାକୁ ଇ-ଟ୍ରାନ୍ସଫର ଜରିଆରେ ପଇଠ କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ନିୟମ-୮(୫) ପ୍ରକାରେ ମାର୍ଚ୍ଚ ମାସରେ କଳାକାରମାନେ ନିଜ ସପକ୍ଷରେ କରିବାକୁ ଥିବା ଜୀବତି ପ୍ରମାଣପତ୍ର ଦାଖଲକୁ ମଧ୍ୟ ଛାଡ଼ କରାଯାଇଛି । କଳାକାର ପେନ୍‌ସନ୍‌ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଭତ୍ତା ବଣ୍ଟନ ରିପୋର୍ଟ ଇମେଲ୍‌ ଓ ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ବିଭାଗକୁ ତୁରନ୍ତ ପ୍ରେରଣ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *