ଓଡିଶାରେ ଚାଲିଛି ଏକଛତ୍ରବାଦୀ ଶାସନ

ଭୁବନେଶ୍ୱର, ତା.୨୮/୦୧(ଗ୍ରାଉଣ୍ଡ ଜିରୋ ଲାଇଭ):
ଜାନୁଆରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଛୋଟ ଛୋଟ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟସରକାର ପୋଲିସ ଲଗାଇ ପରେଡ୍ ଗ୍ରାଉଣ୍ଡରୁ ଉଠାଇ ନେଇ ସେମାନଙ୍କୁ ଗିରଫ କରି ୩୦୭ ସମେତ ୯ଟି ଅପରାଧିକ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ଏହି ସରକାରରେ ହାତୀ ଗଳିଯିବ କିନ୍ତୁ ପିମ୍ପୁଡି ଗଳିବାକୁ ବାଟ ନାହିଁ । ଗତ କିଛିଦିନ ତଳେ ଶାସକ ଦଳର ଗୁଣ୍ଡାମାନେ ପରବିନ୍ଦରଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କଲେ, ପଥରରେ ଆଖି ଛେଚିଲେ, ମୁଣ୍ଡ ଫଟାଇଲେ ମଧ୍ୟ ପୋଲିସ ଦଫା କମ ଲଗାଇ ଅପରାଧାମାନଙ୍କୁ ଜାମିନ ଦେବାର ବ୍ୟବସ୍ଥା କରିଥିଲା । ପୋଲିସ ଅଧିକାରୀ ସ୍ଥାନୀୟ ବିଧାୟକଙ୍କ ସହ ଘଟଣାକୁ ଚାପି ଦେବା ପାଇଁ ଧମକ ଦେବାକୁ ଜନୈକ ବ୍ୟକ୍ତିଙ୍କ ଘରକୁ ରାତି ଅଧରେ ଯାଇଥିଲେ । ପୋଲିସ ଏଠି ତଦନ୍ତ ନାଁରେ ଅପରାଧୀଙ୍କୁ ଘଂଟ ଘୋଡାଇ ଚାଲିଛି । ଅନ୍ୟପକ୍ଷରେ ନିଜ ଅଧିକାର ଦାବି ନେଇ ୨୦୧୫ ମସିହାରୁ ଧାରଣାରେ ବସିଥିବା ଦୁଇ ନିରୀହ ଝିଅଙ୍କ ସମସ୍ୟା ନବୁଝି ପୋଲିସ ତାଙ୍କୁ ଗିରଫ କରିବା ଆଉ ୩୦୭ଧାରା ଲଗାଇବା ଅତ୍ୟନ୍ତ ନିନ୍ଦନୀୟ । ସେମାନେ କାହାକୁ ମରଣାନ୍ତକ ଆକ୍ରମଣ କରିଛନ୍ତି କି ?
ସରକାରଙ୍କର କ’ଣ ଦାୟିତ୍ୱ ନୁହେଁ ଯେ ଯେଉଁମାନେ ୫ବର୍ଷ ହେବ ଧାରଣା ଦେଉଛନ୍ତି ସେମାନେ କାହିଁକି ଏଠିକି ଆସିଛନ୍ତି, ତାଙ୍କର ସମସ୍ୟା କ’ଣ, ତାଙ୍କୁ କେମିତି ନ୍ୟାୟ ମିଳିପାରିବ ସେ କଥା ବୁଝିବେ । କିନ୍ତୁ ରାଜ୍ୟସରକାର ତାହା ନକରି ତାଙ୍କୁ ଉଠାଇ ନେଇ ଗିରଫ କରିଛନ୍ତି । ଏହି ଛୋଟ ଛୋଟ ଝିଅ ମାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କ ଉପରେ ଲଗାଯାଇଥିବା କଡା ଦଫା ଗୁଡିକୁ ପୋଲିସ ପ୍ରତ୍ୟାହାର କରିବାକୁ ଡ. ସାମନ୍ତସିଂହାର ଦାବି କରିଛନ୍ତି ।
ଯେଉଁଠି ପୋଲିସ୍ ତାହାର କାର୍ଯ୍ୟାନୁଷ୍ଠାନ ନେବା କଥା ସେଠାରେ ନେଉନାହିଁ ଏବଂ ଯେଉଁଠି ନନେବା କଥା ସେଠାରେ ନେଉଛି । ଏଠି ରାଜ୍ୟରେ କେବଳ ଏକଛତ୍ରବାଦୀ ଶାସନ ଚାଲିଛି । ସରକାର ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଏହା କେବେବି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Leave a Reply

Your email address will not be published. Required fields are marked *