ମା ଜାନକୀ ସ୍ୱାସ୍ଥ୍ୟ ମିଶନର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,ତା.୨୧/୦୨: ଭୁବନେଶ୍ୱର ନିକୋ ପାର୍କ ସ୍ଥିତ ଜୟ ଭାରତ ସଭାଗୃହରେ ମା ଜାନକୀ ସ୍ୱାସ୍ଥ୍ୟ ମିଶନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଡାକ୍ତର ମଦନ ମୋହନ ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ନାୟକ କହିଛନ୍ତି ଯେ, ବିଶ୍ୱ ଦରବାରରେ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତି ଆଦର ବଢିଛି । ଆଚାର୍ଯ୍ୟ ସୁଶ୍ରୁତ ଶଲ୍ୟ ଚିକିତ୍ସାର ଜନକ ରୂପେ ସ୍ୱୀକୃତି ପାଇଛନ୍ତି । ଚରକ ସଂହିତା ଉପରେ ଅଧିକ ଗବେଷଣା ହେଉଛି । ସାରା ବିଶ୍ବ ରାସାୟନିକ ଔଷଧ ବଦଳରେ ଆୟୁର୍ବେଦର ବ୍ୟବହାର ପାଇଁ ଭାରତଠାରୁ ମାର୍ଗଦର୍ଶନର ଆଶା କରୁଛି।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପରମହଂସ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ କହିଛନ୍ତି ଯେ, ଶିବ ଆଦି ଭେଷଜ ଅଟନ୍ତି । ସେ ଆଦି ବକ୍ତା ଭାବେ ଜନକଲ୍ୟାଣ ପାଇଁ ଆୟୁର୍ବେଦକୁ ପରିଭାଷିତ କରିଛନ୍ତି । ଦେଶର ବିକାଶ ପାଇଁ ସୁସ୍ଥ ମନ ଓ ସୁସ୍ଥ ଶରୀର ରଖିବା ନିହାତି ଆବଶ୍ୟକ ।
ଅବହେଳା ଓ ଅଧିକ ଅନୁସନ୍ଧାନ ଅଭାବରେ ଆୟୁର୍ବେଦ ପଛେଇବା ପରି ଲାଗୁଛି କିନ୍ତୁ ସାରା ବିଶ୍ୱକୁ ଏହି ବିଦ୍ୟାର ଜ୍ଞାନ ବାଂଟିବା କ୍ଷମତା ଆମର ରହିଛି । ସମ୍ମାନିତ ଅତିଥୀ ଭାବେ ଶ୍ରୀଯୁକ୍ତ ସଂଜୟ କୁମାର ଲାଠ ଯୋଗ ଦେଇ ସୁସ୍ଥ ଶରୀର ଗଠନ ପାଇଁ ନିୟମିତ ବ୍ୟାୟାମ କରିବା ଦରକାର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ଶିବ ପ୍ରସାଦ ରଥ, ମନୋରୋଗ ଚିକିତ୍ସକ ଡାକ୍ତର ଗୋପାଳ ଚନ୍ଦ୍ର କର, ହୋମିଓପାଥି ଚିକିତ୍ସକ ଡାକ୍ତର ଅଶୋକ ମିଶ୍ର, ଆକ୍ୟୁପ୍ରେସର ଚିକିତ୍ସକ ଦୀନଦୟାଲ କ୍ୟାଲ ଏବଂ ଯୋଗ ପ୍ରଶିକ୍ଷକ ସୁଧାଂଶୁ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡ.ନରେନ୍ଦ୍ର ପ୍ରସାଦ ହୋତା, ଜଗନ୍ନାଥ ଚାଟାର୍ଜି, ଡ. ଆଦିତ୍ୟ ପ୍ରସାଦ ମିଶ୍ର, ଲକ୍ଷ୍ମଣ ପଣ୍ଡା, ଶ୍ରୀମତୀ ମମତା ବିଶ୍ୱାଳ, ଡାକ୍ତର ଶୈଳେଶ ମିଶ୍ର ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଡାକ୍ତର ଉମେଶମେଶ ଚନ୍ଦ୍ର ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥଲେ । ଏହି ବାର୍ଷିକ ଉତ୍ସବରେ ସ୍ବାସ୍ଥ୍ୟ ଓ ଚିକିତ୍ସା ସେବା ସହିତ ସଂପୃକ୍ତ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ସ୍ୱାସ୍ଥ୍ୟ ସମ୍ବନ୍ଧୀତ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ରୋଗ ନିରାକରଣ ଉପରେ ବରିଷ୍ଠ ଡାକ୍ତରଙ୍କର ଅଭିଜ୍ଞତାକୁ ଆଧାର କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ମିଶନ ଏକ ବିଶେଷ ଭୂମିକା ନେଇ ପାରିବ ବୋଲି ଉପସ୍ଥିତ ବରିଷ୍ଠ ଚିକିତ୍ସକ ମାନେ ଆଶା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *