ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ୧୦ ସେବକଙ୍କୁ ନୋଟିସ

ପୁରୀ,୧୫/୧୧(ଗ୍ରାଉଣ୍ଡଜିରୋ ଲାଇଭ) :
ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ୧୦ ସେବକଙ୍କୁ ନୋଟିସ ମିଳିଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । ଏହି ୧୦ ଜଣଙ୍କ ମଧ୍ୟରେ ୯ ଜଣ ଦଇତାପତି ଓ ଜଣେ ମହାରଣା ସେବକ ଅଛନ୍ତି । ଦଇତାପତି ନିଯୋଗ ସଭାପତି ବର୍ତ୍ତମାନ ବିଜୁ ଜନତା ଦଳରେ ରହିଥିବାବେଳେ ତାଙ୍କ ନେତୃତ୍ୱ ନେଉଥିବା ୨ ବ୍ୟକ୍ତି ବ୍ରହ୍ମ ବିଭ୍ରାଟରେ ଫସିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।
ନୋଟିସ ପାଇଥିବା ୯ ଦଇତାପତି ହେଲେ ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ର, କାଶୀନାଥ ଦାସମହାପାତ୍ର, କୃଷ୍ଣଚନ୍ଦ୍ର ଦାସମହାପାତ୍ର, କୀର୍ତ୍ତି ଦାସମହାପାତ୍ର, ବିଶ୍ୱନାଥ ଦାସମହାପାତ୍ର, ନବକିଶୋର ଦାସମହାପାତ୍ର, ନବକିଶୋର ପତିମହାପାତ୍ର ଏବଂ ଅନ୍ୟ ଜଣେ ହେଲେ ମହାରଣା ସେବକ କୃଷ୍ଣ ଚନ୍ଦ୍ର ମହାରଣା । ବୁଧବାର ସନ୍ଧ୍ୟାରେ ସେମାନଙ୍କ ପାଖରେ ନୋଟିସ ପହଞ୍ଚିଥିବା ଜଣାପଡିଛି ।
ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଠାକୁରଙ୍କ ଗୁପ୍ତ ନୀତି ରହିଥିବା ଦର୍ଶାଇ ତାହାକୁ ଚାପି ଦିଆଯାଇଥିବାବେଳେ ବିଭ୍ରାଟକାରୀଙ୍କ ନାମ ଗଣମାଧ୍ୟମ ଆଗରେ କାହିଁକି ସ୍ପଷ୍ଟ କରାଯାଉ ନାହିଁ  ତାହାକୁ ନେଇ ସବୁଠାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଚୁପ ରହିବା ନେଇ ମଧ୍ୟ ସନ୍ଦେହକୁ ବିସ୍ତୃତ କରୁଛି । ପ୍ରାଥମିକ ତଦନ୍ତ ଆଧାରରେ କାଶୀନାଥ ଦାସମହାପାତ୍ର ଏବଂ ତାଙ୍କ ପୁଅ ଜୟକୃଷ୍ଣ ଦାସମହାପାତ୍ରଙ୍କୁ ୨୦୧୫ରେ ନିଲମ୍ବିତ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ଏହି ନିଲମ୍ବନକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେଇଥିଲା । ତତ୍କାଳୀନ ମୁଖ୍ୟ ପ୍ରଶାସକ ଯାହା ବୟାନ ରେକର୍ଡ କରିଥିଲେ ତାହା ତାଙ୍କ ରିପୋର୍ଟରେ ଭିନ୍ନ ରହିଛି, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବ୍ରହ୍ମ ବିଭ୍ରାଟ ରିପୋର୍ଟର ତର୍ଜମା ପାଇଁ  ଗଠିତ ସବ୍‌ କମିଟି  ରିପୋର୍ଟରେ ଏଥିରେ ତାଳମେଳ ରହୁ ନ ଥିବା ଦର୍ଶାଯାଇଥିବା ବେଳେ କିଭଳି ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *