ମାଳଦୀପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ପୂର୍ବତନ ରାଷ୍ଟ୍ରପତି ଗୟୁମ ଗିରଫ

ନୂଆଦିଲ୍ଲୀ,୦୬/୦୨(ଗ୍ରାଉଣ୍ଡଜିରୋ ଲାଇଭ୍): ମାଳଦୀପରେ ଦେଖାଯାଇଥିବା ରାଜନୈତିକ ଉତ୍ତେଜନା ନେଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଦିଆଯାଇଛି । ରାଷ୍ଟ୍ରପତି ଅବଦୁଲା ଯମିନ ଏହି ଘୋଷଣା କରିଛନ୍ତି । ଫଳରେ ଭାରତର ପଡ଼ୋଶୀ ତଥା ଭାରତ ମହାସାଗରର ଅତି ନିକଟରେ ଅବସ୍ଥିତ ଦେଶରେ ରାଜନୈତିକ ବିଶୃଙ୍ଖଳା ଦେଖାଯାଇଛି । ମାଳଦୀପର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଏହି ଜରୁରୀକାଳୀନ ପରିସ୍ଥିତି ୧୫ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାରି ଭିତରେ ଭାରତ ସରକାର ନିଜର ନାଗରିକମାନଙ୍କୁ ପରାମର୍ଶ ଦେଇଛି ଯେ, ବର୍ତମାନ କେହି ବି ମାଳଦୀପ ନଯାଆନ୍ତୁ ।
ଦେଶରେ ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୂର୍ବତନ ରାଷ୍ଟ୍ରପତି ମୌମୁନ ଅବଦୁଲ ଗୟୁମଙ୍କୁ ଗିରଫ କରାଯାଇଛି । ଗୟୁମଙ୍କ ଝିଅ ୟୁମନା ମୌମୁନ ଟୁଇଟରରେ ସୂଚନା ଦେଇଛନ୍ତି ଯେ, ୮୦ ବର୍ଷିଅ ପୂର୍ବତନ ରାଷ୍ଟ୍ରପତିଙ୍କୁ ନିଜର ମାଲେସ୍ଥିତ ନିବାସରୁ ପୋଲିସ ନେଇ ଯାଇଛି । ଗୟୁମ ୨୦୦୮ରେ ଦେଶର ପ୍ରଥମ ଲୋକତାନ୍ତ୍ରିକ ନିର୍ବାଚନ ହେବା ପୂବରୁ ୩୦ ବର୍ଷ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ । ସେ ବିରୋଧୀଙ୍କ ସହିତ ଥିଲେ ଓ ନିଜର ସାବତ ଭାଇଙ୍କ ବିରୋଧରେ ଅଭିଯାନ ଚଳାଇଥିଲେ ।
ଅପରପକ୍ଷେ ମାଳଦୀପର ସୁପ୍ରିମକୋର୍ଟ ରାଜନୈତିକ କଏଦୀଙ୍କୁ ମୁକ୍ତି ଦେବା ପାଇଁ ଆଦେଶ ଦେଇଛି କିନ୍ତୁ ରାଷ୍ଟ୍ରପତି ଯମିନ ଏହାକୁ ମନା କରି ଦେଇଛନ୍ତି । ଭାରତୀୟ ସମୟ ଅନୁସାରେ ସୋମବାର ସନ୍ଧ୍ୟା ରାଷ୍ଟ୍ରପତିଙ୍କ ସହଯୋଗୀ ଅଜିମା ଶୁକୁର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *