ବିଜେପୁରରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ, ହେଭିୱେଟ୍‌ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼, ୦୬/୦୨(ଗ୍ରାଉଣ୍ଡଜିରୋ ଲାଇଭ୍): ବିଜେପୁର ଉପ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଦଳର ହେଭିୱେଟ୍‌ ନେତାଙ୍କ ସହିତ ବିରାଟ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥିନୀ ରୀତା ସାହୁ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ପ୍ରଥମେ ବିଜେଡ଼ି ପକ୍ଷରୁ ସମୃଦ୍ଧ ବିଜେପୁର ନିର୍ବାଚନ ମଣ୍ଡଳୀ ଆମର ସଂକଳ୍ପ ନାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହା ପରେ ଏକ ରୀତା ସାହୁ ହଜାର ହଜାର ଦଳୀୟ କର୍ମୀଙ୍କ ସହିତ ଏକ ବିରାଟ ଶୋଭାଯାତ୍ରାରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ବେଳେ ବିଜେଡ଼ି ତା’ର ଶକ୍ତି ପ୍ରଦର୍ଶନ କରିଛି । ଶୋଭାଯାତ୍ରାର ଷ୍ଟାର୍‌ ପ୍ରଚାରକର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଦଳର ସମସ୍ତ ହେଭିୱେଟ୍‌ ନେତାଙ୍କୁ ଏଠାରେ ଦେଖିବାକୁ ମିଳିଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗଉଦୟ ସିଂହ ଦେଓ, ବରପାଲି ବ୍ଲକ୍ ଦାୟିତ୍ୱରେ ଥିବା ବିଧାୟକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଦୀପ ମହାପାତ୍ର, ନୂଆ କରି ଦଳରେ ଯୋଗ ଦେଇଥିବା ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ କୁମାର ସାହୁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ । ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ କଂଗ୍ରେସର ପ୍ରାର୍ଥୀ ପାଇଁ ଦାବିଦାର ଥିବା ବେଳେ ଭାରତୀୟ କଂଗ୍ରେସ କମିଟିର ସଭାପତି ରାହୁଲ ଗାନ୍ଧି ପ୍ରଣୟଙ୍କୁ ପ୍ରାଥୀ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ଫେବୃୟାରୀ ୨୪ ତାରିଖ ବିଜେପୁର ଉପନାର୍ବାଚନ ଅନୁଷ୍ଠିତ ହେବ । ୬ ତାରିଖ ନାମାଙ୍କନ ଦାଖଲ ର ଶେଷ ତାରିଖ ରହିଛି । ୭ ତାରିଖ ରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୯ ତାରିଖ ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ନିର୍ବାଚନ କମିଶନ । ବିଜେପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ ଲକ୍ଷ୍ୟ ୨୧ ହଜାର ୧୪୪ ଜଣ ଭୋଟର ଏଥର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏଥିରେ ୧୧ଟି ବୁଥ୍ ବୃଦ୍ଧି ପାଇ ୨୮୧ଟି ବୁଥରେ ମତଦାନ ହେବ । ତନ୍ମଧ୍ୟରୁ ୭୯ଟି ମତଦାନ କେନ୍ଦ୍ର ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି ।

Leave a Reply

Your email address will not be published. Required fields are marked *