ନିରବ ମୋଦି ଏବେ ଆମେରିକାରେ !

ନୂଆଦିଲ୍ଲୀ, ୧୬/୦୨(ଗ୍ରାଉଣ୍ଡ ଜିରୋ ଲାଇଭ୍) : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ମହା ଠକେଇର ଅଭିଯୁକ୍ତ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଏବଂ ମେହୁଲ ଚୌକସୀର ପାସପୋର୍ଟକୁ ବିଦେଶ ମନ୍ତ୍ରଣାଳୟ ଚାରି ସପ୍ତାହ ପାଇଁ ନିଲମ୍ଵିତ କରିଛନ୍ତି। ଆମେରିକାର ନ୍ୟୁୟର୍କରେ ମ୍ୟାନହାଟନର ଏକ ବିଳାସପୂର୍ଣ୍ଣ ହୋଟେଲରେ ନିରବ ମୋଦି ରହୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଭାରତର ଦ୍ୱିତୀୟ ବିଜୟ ମାଲ୍ୟା କୁହାଯାଉଥିବା ନିରବ ମୋଦି ଲେଟର ଅଫ୍ ଅଣ୍ଡରଷ୍ଟାଣ୍ଡିଂ ବଳରେ ପିଏନବିରୁ ୧୧ ହଜାର ୩ଶହ କୋଟି ଠକି ନେଇଥିବା ଅଭିଯୋଗ ହୋଇଛି।

ଅନ୍ୟ ପଟେ ସିବିଆଇ ଶୁକ୍ରବାର ପୂର୍ବତନ ଅଧିକାରୀ ଗୋକୁଳନାଥ ସେଟ୍ଟୀଙ୍କ ଘରେ ପହଞ୍ଚିଛି। ସିବିଆଇ ଗୀତାଞ୍ଜଳୀ ଗ୍ରୁପର ସୋ ରୁମରେ ମଧ୍ୟ ଚଢ଼ାଉ ଆରମ୍ଭ କରିଛି। ଅନ୍ୟ ପଟେ ମୁମ୍ବାଇ, ସୁରତ ସମେତ ମୋଦିଙ୍କ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ ଇଡି ରେଡ୍ କରି ପ୍ରାୟ ୫ ହଜାର ୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ୧୮ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ସିବିଆଇ ପିଏନବିର ଅଭିଯୋଗ ଆଧାରେ ମେହୁଲ ଚୌକିସୀର ଗୀତାଞ୍ଜଳୀ ଗ୍ରୁପ ବିରୋଧେ ମାମଲା ରୁଜୁ କରିଛି। ପିଏନବି ଗୀତାଞ୍ଜଳୀ ଗ୍ରୁପ ବିରୋଧରେ ଫେବୃଆରୀ ୧୩ରେ ଅଭିଯୋଗ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଗତକାଲି ନିରବ ଓ ତାଙ୍କ ସଂପର୍କୀୟଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଓ ଅଫିସ ଉପରେ ରେଡ୍ କରିଥିଲା। ବିଦେଶ ମନ୍ତ୍ରଣାଳୟ ଦ୍ଵାରା ଜାରି ବୟାନରେ କୁହାଯାଇଛି ଯେ ଇଡିର ପରାମର୍ଶ ପରେ ବିଦେଶ ମନ୍ତ୍ରଣାଳୟର ପାସପୋର୍ଟ ଜାରି କରୁଥିବା ଅଧିକାରୀ ଆଜି ନୀରବ ମୋଦୀ ଏବଂ ମେହୁଲ ଚୌକସୀର ପାସପୋର୍ଟ ବୈଧତାକୁ ପାସପୋର୍ଟ ଆକ୍ଟ ୧୯୬୭ ଆଧାରରେ ୪ ସପ୍ତାହ ପାଇଁ ତତ୍କାଳ ସ୍ଥଗିତ କରିଛନ୍ତି।

Leave a Reply

Your email address will not be published. Required fields are marked *